Latest Odisha News

BREAKING NEWS

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ; ଆହୁରି ୨ ଦିନ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ। ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ୧୯ ଓ ୨୦ ତାରିଖରେ ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

୧୭ ତାରିଖ ବା ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେହିପରି ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୮ ତାରିଖରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି କୁହାଯାଇଛି। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତା ୨୪ ବା ୨୫ ତାରିଖରେ ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ (ଆଇଏମ୍‌ଡି ) ବିସ୍ତାରିତ ଆକଳନ ଜାରି କରିଛି ।

ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ଓ ଭାରି ବର୍ଷା ଜାରି ରହିଛି । ପୁରୀରେ ୯୦ ମିମି ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ୨୦୬ମିମି, ତାଳଚେରରେ ୧୯୫, ହୀରାକୁଦ, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୦୦, ନୟାଗଡ଼ରେ ୧୧୦, ବରଗଡ଼ ଓ ଦେବଗଡ଼ରେ ୯୭, ଟିଟିଲାଗଡ଼ ଓ କୋରାପୁଟରେ ୯୫, ସୋନପୁରରେ ୯୦, ସମ୍ବଲପୁର ଓ ଭୁବନେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.