୨୪ ଦିନ.. ୧୦ ମ୍ୟାଚ ଏବଂ ଗୋଟିଏ ବିଜୟ । ଏହା ହେଉଛି ଭାରତୀୟ କ୍ରିକେଟ ଦଳର ୟୁରୋପୀୟ ଗସ୍ତ କାର୍ଯ୍ୟସୂଚୀର ଫଳାଫଳ । ୩୬ ବର୍ଷ ପରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୯୯୦ ଦଶକରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ୦-୧ରେ ଟେଷ୍ଟ ସିରିଜ ହାରିବା ପରେ ତ୍ରିକୋଣୀୟ ଦିନିକିଆ ସିରିଜରେ ୪ ମ୍ୟାଚରୁ କେବଳ ଗୋଟିକରେ ବିଜୟ ହାସଲ କରିଥିଲା । ଏଥିରେ ଭାରତ ସହ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟିମ ଖେଳୁଥିଲେ । ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖ ଟିମ ମ୍ୟାନେଜର ବିଶେନ ସିଂ ବେଦୀ ରାଗି ଯାଇଥିଲେ । ସେ କହିଥିଲେ ଏହି ଟିମକୁ ପ୍ରଶାନ୍ତ ମହାସାଗରରେ ବୁଡେଇ ଦିଅ । ସେ ସମୟରେ ଏହା ବେଶ ଚର୍ଚ୍ଚିତ ବୟାନ ଥିଲା ।
ଏବେ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୦-୨ରେ ଟି୨୦ ସିରିଜ ହାରିଥିଲା । ଏହା ପରେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ମଧ୍ୟ ୦-୪ରେ ଏବଂ ଏବେ ୧-୨ରେ ଦିନିକିଆ ସିରିଜ ହାରିଛି । ଏହି ଟିମକୁ କଣ ପ୍ରଶାନ୍ତ ମହାସାଗରରେ ଫିଙ୍ଗିବା । ଗୋଟିଏ ପଟେ ୨ଟି ବିଶ୍ୱକପ ଜିତୁଥିବା ବେଳେ ଅନ୍ୟ ପଟେ ଏ ଭଳି ପ୍ରଦର୍ଶନ । ଟିମରେ ଅସ୍ଥିରତା ଓ ପରୀକ୍ଷଣ ଗମ୍ଭୀର ଏବଂ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଏକ ନିଶା ପାଲଟି ଯାଇଛି । ଯେଉଁମାନଙ୍କୁ ଦଳରୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି ସେମାନେ ଭଲ ପ୍ରଦର୍ଶନ କରୁଛି । ଆଉ ଯାହାକୁ ନେଇ ଦଳ ଭବିଷ୍ୟତ ଦେଖୁଛି ସେମାନେ ଫେଲ ମାରୁଛନ୍ତି ।
ନିକଟ ଭବିଷ୍ୟତରେ ଭାରତ ଅନେକ ମ୍ୟାଚରେ ହାରିଥିଲେ ମଧ୍ୟ ଏଥିରେ ସଂଘର୍ଷପୂର୍ଣ୍ଣ ମୁକାବିଲା ରହୁଥିଲା । ସୂର୍ଯ୍ୟକୁମାରଙ୍କ ଅନୁପସ୍ଥିତିରେ ନିଶ୍ଚିତ ଭାବେ ଟି୨୦ର ସନ୍ତୁଳନ ବିଗିଡି ଯାଇଛି । ସେହିପରି ଏବେ ଯଦି ରୋହିତ ଓ କୋହଲିଙ୍କୁ ନେଇ ଅସ୍ଥିରତା ସୃଷ୍ଟି କଲେ ୨୦୨୭ ଦିନିକିଆ ବିଶ୍ୱକପ ଏକ ସ୍ୱପ୍ନ ହୋଇ ରହିଯିବ । ପ୍ରତ୍ୟେକ ଫର୍ମାଟରେ ଏକ ଶୃଙ୍ଖଳିତ ଦଳ ପ୍ରସ୍ତୁତ ହୋଇ ଆସୁଥିବା ବେଳେ ଦଳରେ ରହିବା ନେଇ ଗମ୍ଭୀର ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି । ହାତ ଗଣତି ଖେଳାଳି ଛାଡିଦେଲେ ସମସ୍ତେ ଅସ୍ଥିର ମନରେ ରହିଛନ୍ତି । ଗମ୍ଭୀର ଓ ଅଗରକର ଭାଗ୍ୟବାନ । ଯେଉଁ ସଞ୍ଜୁ ସାମସନଙ୍କୁ ଅଣଦେଖା କରିଥିଲେ ସେ ପରେ ସେମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲେ । ଏଥିରେ ଉଭୟଙ୍କ ବାହାଦୂରୀ କିଛି ନ ଥିଲା । ଏବେ ପ୍ରଶ୍ନ ଗମ୍ଭୀର-ଅଗକରଙ୍କ କାର୍ଯ୍ୟକାଳ ବୃଦ୍ଧି କ୍ରିକେଟପ୍ରେମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବନି ତ ? ବିସିସିଆଇର ହସ୍ତକ୍ଷେପ ଏବେ ଆବଶ୍ୟକ ହୋଇ ପଡିଛି ।