ସାର ପାଇଁ ରାତି ଅନିଦ୍ରା ହେଉଛନ୍ତି ଅନ୍ନଦାତା, ରାଜ୍ୟରେ ଅଭାବ ନାହିଁ କହିଲେ ସମବାୟ ମନ୍ତ୍ରୀ: କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଗୋଟିଏ ପଟେ ବସ୍ତାଏ ସାର ପାଇଁ ରାତି ଅନିଦ୍ରା ହୋଇ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି ରାଜ୍ୟର ଅନ୍ନଦାତା, ଅନ୍ୟପଟେ ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ଏହି ଅସହାୟତାର ସୁଯୋଗ ନେଇ ସାରର କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସାମନ୍ତଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ୨୭ ତାରିଖ ସୁଦ୍ଧା ରାଜ୍ୟ କୃଷି ବିଭାଗ ନିକଟରେ ମୋଟ ୧ ଲକ୍ଷ ୮୧ ହଜାର ୮୧୦ ମେଟ୍ରିକ୍ ଟନ୍ ସାର ଆସି ପହଞ୍ଚିଛି। ସେଥିମଧ୍ୟରୁ ପ୍ରାୟ ୧ ଲକ୍ଷ ୧୪ ହଜାର ମେଟ୍ରିକ୍ ଟନ୍ ସାର ଇତିମଧ୍ୟରେ ବିଭିନ୍ନ ପ୍ୟାକ୍ସକୁ ବଣ୍ଟନ ପାଇଁ ପଠାଯାଇସାରିଲାଣି। ପୂର୍ବରୁ ସମବାୟ ସଂସ୍ଥାଗୁଡ଼ିକୁ କୃଷି ବିଭାଗ ପକ୍ଷରୁ ୩୫ ପ୍ରତିଶତ ସାର ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆନ୍ତର୍ଜାତିକ ସ୍ତରରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ସାର ଆମଦାନୀରେ ସାମାନ୍ୟ ବିଳମ୍ବ ହୋଇଛି ସତ, କିନ୍ତୁ ବର୍ତ୍ତମାନ ବିଭାଗ ପାଖରେ ପର୍ଯ୍ୟାପ୍ତ ମହଜୁଦ ଥିବାରୁ ଚାଷୀମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯଦି କେହି ଏହି ସମୟରେ କଳାବଜାରୀ କରିବାକୁ ପ୍ରୟାସ କରେ, ତେବେ ତା’ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପାରମ୍ପରିକ ୟୁରିଆ ଏବଂ ଡିଏପି ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଥିବା ଆଗ୍ରହ ଓ ଅଭାବ ପ୍ରସଙ୍ଗରେ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୟୁରିଆ ଏବଂ ଡିଏପିରେ ଯେଉଁସବୁ ରାସାୟନିକ ଉପାଦାନ ବା କେମିକାଲ କମ୍ପୋନେଣ୍ଟ ରହିଛି, ଠିକ୍ ସମାନ ଗୁଣବତ୍ତା ଥିବା ବିକଳ୍ପ ସାର ବଜାରରେ ଉପଲବ୍ଧ କରାଯାଇଛି। ଉଚ୍ଚସ୍ତରୀୟ ଲାବୋରେଟୋରୀରେ ଟେଷ୍ଟିଂ ହେବା ପରେ ଏବଂ ସବୁ ଦିଗକୁ ତର୍ଜମା କରାଯିବା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ଚାଷୀମାନେ କେବଳ ୟୁରିଆ ପାଇଁ ଜିଦ୍ ନଧରି ଏହି ବିକଳ୍ପ ସାର ପ୍ରୟୋଗ କରିପାରିବେ, ଏଥିରେ ଫସଲର କୌଣସି କ୍ଷତି ହେବନାହିଁ ବରଂ ଚାଷୀ ଉପକୃତ ହେବେ।
ଏତେ ସବୁ ପ୍ରତିଶ୍ରୁତି ଏବଂ ପରିସଂଖ୍ୟାନ ସତ୍ତ୍ୱେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ବୟାନ କରୁଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ଅଧିକ ଚାଷ ହୋଇଥିବାରୁ ସାରର ଚାହିଦା ବଢ଼ିଛି ଏବଂ ସେଥିପାଇଁ ଲାଇନ୍ ଲାଗୁଛି। ମାତ୍ର ବରଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଆରସିଏମ୍ଏସ୍ ଏବଂ ସୋସାଇଟି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଭୋର ୩ଟାରୁ ଆସି ଲାଇନ୍ ଲଗାଉଛନ୍ତି। ଏପରିକି ଲାଇନ୍ରେ ଇଟା, ପଥର ଏବଂ ନିଜ ଆଧାର କାର୍ଡ ଥୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବହୁ ସ୍ଥାନରେ ଟୋକନ୍ ମିଳିବା ପରେ ବି ସାର ନମିଳିବାରୁ ଅସନ୍ତୁଷ୍ଟ ଅନ୍ନଦାତା ରାଜରାସ୍ତାକୁ ଓହ୍ଲାଉଥିବାର ନଜିର ରହିଛି।