ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି ଏସଟିଏଫ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତ ।
ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ଚୋରାଚାଲାଣରେ ସକ୍ରିୟ ଭୂମିକା ନେଉଥିଲେ । ଆନ୍ତଃରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଅଭିଯାନ ଚଳାଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍ ।
ଏହି ଚଢାଉରେ ସିବାରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ନଗଦ ଟଙ୍କା, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଆବଶ୍ୟକ ପଡିଲ ଅଧିକ ତଦନ୍ତ ପାଇଁ ପୁଲିସ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି ।