ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ ସିଜନ-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ । ସଙ୍ଗୀତ କ୍ଷେତ୍ରରେ ପ୍ରଦର୍ଶିତ ଉଲ୍ଲେଖନୀୟ ସଫଳତା ପାଇଁ ବୁଧବାର ଲୋକ ଭବନରେ ଜ୍ୟୋତିର୍ମୟୀଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ସମ୍ବର୍ଦ୍ଧିତ କରିଛନ୍ତି ।
ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ଜ୍ୟୋତିର୍ମୟୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସ୍ୱୀକୃତି ତାଙ୍କୁ ଆହୁରି କଠିନ ପରିଶ୍ରମ କରିବାର ପ୍ରେରଣା ଦେଇଛି ଏବଂ ସେ ଅଧିକ ନିଷ୍ଠାର ସହିତ ନିଜର ସଙ୍ଗୀତ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ଯୁବ ଗାୟିକାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ପ୍ରତିଭା ଏବଂ ସଙ୍ଗୀତ ପ୍ରତିଥିବା ନିଷ୍ଠାଭାବକୁ ପ୍ରଶଂସା କରିଛନ୍ତି । ରାଜ୍ୟପାଳ ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଜ୍ୟୋତିର୍ମୟୀଙ୍କ ସଫଳତା ଓଡ଼ିଶାର ଗୌରବ ବଢ଼ାଇଛି ଏବଂ ଅନେକ ଯୁବପିଢ଼ିଙ୍କୁ ସ୍ୱପ୍ନ ପୂରଣ ପାଇଁ ଦୃଢ଼ ସଂକଳ୍ପ ସହିତ ଆଗେଇ ଯିବାର ପ୍ରେରଣା ପ୍ରଦାନ କରିଛି ବୋଲି ରାଜ୍ୟପାଳ କହିଛନ୍ତି ।