ନୂଆଦିଲ୍ଲୀ: ଭାରତ ସରକାର ଦେଶରେ E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ବ୍ୟାପକ ଭାବରେ ଲାଗୁ କରୁଛନ୍ତି। ତେବେ ଲୋକଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି ପେଟ୍ରୋଲରେ ୨୦% ଇଥାନଲ୍ ମିଶାଯାଉଛି, ତେବେ ପେଟ୍ରୋଲର ଦାମ୍ ଶସ୍ତା କାହିଁକି ହେଉନାହିଁ? ଏହାଦ୍ୱାରା କେବଳ ସରକାର ଲାଭବାନ ହେଉଛନ୍ତି ନା ସାଧାରଣ ଗ୍ରାହକ? ଏହାବ୍ୟତୀତ ଅନେକ ଗ୍ରାହକ ଅଭିଯୋଗ କରୁଛନ୍ତି ଯେ ନୂତନ ଇନ୍ଧନ ଯୋଗୁଁ ଗାଡ଼ିର ମାଇଲେଜ୍ ମଧ୍ୟ କମିଯାଉଛି। ଏହି ସମସ୍ତ ପ୍ରଶ୍ନ ଏବଂ ବିବାଦ ଉପରେ ଏବେ କେନ୍ଦ୍ର ସରକାର ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ ରଖିଛନ୍ତି।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଇଥାନଲ୍ ବ୍ଲେଣ୍ଡିଂର ମୂଳ ଉଦ୍ଦେଶ୍ୟ ଆଜି କିମ୍ବା ଆସନ୍ତାକାଲି ପେଟ୍ରୋଲ ଦାମ୍ କମାଇବା ନୁହେଁ, ବରଂ ଦେଶର ଉର୍ଜା ସୁରକ୍ଷାକୁ ମଜବୁତ କରିବା ଅଟେ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ୍ ପ୍ରସ୍ତୁତି ଏତେ ଶସ୍ତା ନୁହେଁ। ଦେଶର ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର ମକାରୁ ପ୍ରସ୍ତୁତ ଇଥାନଲ୍କୁ ଲିଟର ପିଛା ପ୍ରାୟ ୭୧.୮୬ ଟଙ୍କାରେ କିଣୁଛନ୍ତି। ଏଥିରେ ଜିଏସଟି (GST), ପରିବହନ ଏବଂ ଷ୍ଟୋରେଜ୍ ଖର୍ଚ୍ଚ ସାମିଲ ନାହିଁ।
ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୦ ଡଲାର ପାଖାପାଖି ରହୁଛି, ସେତେବେଳେ ଶୁଦ୍ଧ ପେଟ୍ରୋଲ ତୁଳନାରେ E20 ପ୍ରସ୍ତୁତ କରିବା ଅଧିକ ମହଙ୍ଗା ପଡ଼ୁଛି।
ସରକାରଙ୍କ ଯୁକ୍ତି ଅନୁଯାୟୀ, ଯେତେବେଳେ ବିଶ୍ୱସ୍ତରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇ ୧୨୦ ରୁ ୧୩୦ ଡଲାରରେ ପହଞ୍ଚିବ, କେବଳ ସେତେବେଳେ ହିଁ ଇଥାନଲ୍ ଗ୍ରାହକଙ୍କ ପାଇଁ ଏକ ଶସ୍ତା ବିକଳ୍ପ ସାବ୍ୟସ୍ତ ହେବ।
ଗାଡ଼ିର ମାଇଲେଜ୍ କମିବା ପ୍ରସଙ୍ଗରେ କେନ୍ଦ୍ର ସରକାର କହିଛନ୍ତି ଯେ, E20 ଇନ୍ଧନ ଯୋଗୁଁ କିଛି ଗାଡ଼ିର ଇନ୍ଧନ ଦକ୍ଷତାରେ ମାତ୍ର ୩% ରୁ ୫% ପର୍ଯ୍ୟନ୍ତ ହ୍ରାସ ଘଟିପାରେ। କିନ୍ତୁ ପ୍ରକୃତ ମାଇଲେଜ୍ କେବଳ ତେଲ ଉପରେ ନିର୍ଭର କରେ ନାହିଁ। ଏହା ମୁଖ୍ୟତଃ ଗାଡ଼ି ଚଳାଇବାର ଶୈଳୀ, ଟାୟାର୍ ପ୍ରେସର୍, ସମୟାନୁସାରେ ସର୍ଭିସିଂ ଏବଂ ଏସିର ବ୍ୟବହାର ଉପରେ ନିର୍ଭର କରିଥାଏ ବୋଲି ସରକାର ଅଜବ ତର୍କ ଦେଇଛନ୍ତି। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ E20 ପେଟ୍ରୋଲ ଯୋଗୁଁ ଇଞ୍ଜିନ୍ ଖରାପ ହେଉଥିବାର କୌଣସି ବୈଜ୍ଞାନିକ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।
ଦେଶ ପାଇଁ କ’ଣ ରହିଛି ଫାଇଦା?
ସରକାରଙ୍କ ମତରେ ଇଥାନଲ୍ ମିଶ୍ରଣ ଯୋଗୁଁ ଭାରତ ବହୁମାତ୍ରାରେ ଲାଭବାନ ହୋଇଛି, ଏପର୍ଯ୍ୟନ୍ତ ଆମଦାନୀ ଉପରୁ ନିର୍ଭରଶୀଳତା କମିବା ଫଳରେ ୧.୯୭ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରା ବଞ୍ଚାଯାଇପାରିଛି। ଇଥାନଲ୍ କିଣାଯିବା ଦ୍ୱାରା ଦେଶର କୃଷକମାନଙ୍କୁ ସିଧାସଳଖ ୧.୬୬ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ପାଖାପାଖି ୯୫୨ ଲକ୍ଷ ମେଟ୍ରିକ୍ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ ରୋକାଯାଇପାରିଛି।
ଆଜି ଦେଶରେ ବିକ୍ରି ହେଉଥିବା ପେଟ୍ରୋଲର ପ୍ରାୟ ଏକ-ପଞ୍ଚମାଂଶ (୨୦%) ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଇଥାନଲ୍ ହୋଇଥିବାରୁ, ଆନ୍ତର୍ଜାତୀୟ ବଜାରରେ କୌଣସି ଯୁଦ୍ଧ କିମ୍ବା ସଙ୍କଟ ଆସିଲେ ମଧ୍ୟ ଭାରତରେ ତେଲ ଦରରେ ହଠାତ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।
ଗ୍ରାହକଙ୍କୁ ଶୁଦ୍ଧ ପେଟ୍ରୋଲ, E10 ଏବଂ E20 ଏପରି ୩ଟି ବିକଳ୍ପ ଏକାସାଙ୍ଗରେ ଦେବା ସମ୍ଭବ କି ନୁହେଁ, ସେ ନେଇ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରାୟ ୧ ଲକ୍ଷରୁ ଅଧିକ ପେଟ୍ରୋଲ ପମ୍ପର ବିଶାଳ ନେଟୱାର୍କ ରହିଛି। ଯଦି ପ୍ରତ୍ୟେକ ସ୍ଥାନରେ ତିନୋଟି ଅଲଗା ଅଲଗା ବିକଳ୍ପ ଯୋଗାଇ ଦିଆଯାଏ, ତେବେ ପରିବହନ ଓ ଷ୍ଟୋରେଜ୍ ବାବଦକୁ ଖର୍ଚ୍ଚ ଏତେ ମାତ୍ରାରେ ବଢ଼ିଯିବ ଯେ, ଏହା ସିଧାସଳଖ ପେଟ୍ରୋଲର ଦାମ୍ ଉପରେ ପ୍ରଭାବ ପକାଇବ। ଏହାଛଡ଼ା ଇଥାନଲ୍ ପ୍ରୋଜେକ୍ଟ ପାଇଁ ବ୍ୟାଙ୍କ ଏବଂ କମ୍ପାନୀଗୁଡ଼ିକ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ନିବେଶ କରିସାରିଛନ୍ତି, ତେଣୁ ପୁରୁଣା ବ୍ୟବସ୍ଥାକୁ ଫେରିବା ସେମାନଙ୍କ ପାଇଁ କ୍ଷତିକାରକ ହେବ।