Latest Odisha News

BREAKING NEWS

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନେ ନବୀନ ସରକାରକୁ ବଦନାମୀରୁ ରକ୍ଷା କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ବୟାନବାଜୀ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କଡ଼ା ସମାଲୋଚନା କରିଛନ୍ତି ।

ସିଏମ୍‌ଓରୁ ଫାଇଲ୍ ଗାଏବ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଜଷ୍ଟିସ ଏ.ଏସ୍. ନାଇଡୁ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ ଯେ, ସେ କମିଶନ୍ ରିପୋର୍ଟର ଗୋଟିଏ କପିକୁ ଦୁଇଟି ଭଲ୍ୟୁମରେ ତତ୍କାଳୀନ ବିଜେଡି ସରକାରଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ପ୍ରାୟ ୧୫୦୦ରୁ ୨୦୦୦ ପୃଷ୍ଠା ସମ୍ବଳିତ ଥିଲା। ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଷ୍ଟିସ୍ ନାଇଡୁ ରିପୋର୍ଟ ପ୍ରଦାନ କରିଥିଲେ, ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୮ ବର୍ଷ କାଳ ଏହାକୁ ନିଜ ପାଖରେ ଲୁଚାଇ ରଖିଥିଲେ କାହିଁକି? ୨୦୧୬ ଅକ୍ଟୋବର ୧୯ ତାରିଖରୁ ଆରମ୍ଭ କରି ୨୦୨୪ ଜୁନ ୪ ତାରିଖ ପର୍ଯ୍ୟନ୍ତ ଏହି ଫାଇଲ୍ ନବୀନ ପଟ୍ଟନାୟକଙ୍କ ପାଖରେ ଥିବା ସତ୍ତ୍ୱେ, ସେ କାହିଁକି ଏହାକୁ ସାର୍ବଜନୀନ କଲେ ନାହିଁ ବୋଲି ବିଜେପି ପକ୍ଷରୁ ଜବାବ ମଗାଯାଇଛି।

ନବୀନ ପଟ୍ଟନାୟକ କ୍ଷମତାରୁ ଯିବା ପରେ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ସିଏମ୍‌ଓକୁ ଆସିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଫାଇଲ୍ ଆସିନଥିଲା। ଏହି ଫାଇଲ୍ ସମ୍ପର୍କରେ ଖବର ନେବା ପାଇଁ ବର୍ତ୍ତମାନର ବିଜେପି ସରକାରଙ୍କ ପକ୍ଷରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ତାଙ୍କ ଆଡ଼ୁ କୌଣସି ଉତ୍ତର ମିଳିନଥିଲା। ପରବର୍ତ୍ତୀ ସମୟରେ ୨୦୨୫ ନଭେମ୍ବର ୧୫ ତାରିଖରେ ନବୀନଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ବିରୋଧୀ ଦଳ ନେତା ଉକ୍ତ ଫାଇଲ୍ ଖୋଜିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖି ତ୍ରିପାଠୀ କହିଛନ୍ତି ଯେ, ନବୀନ ପଟ୍ଟନାୟକ ନିଜେ ସେହି ଫାଇଲର ଅଧିକୃତ ବ୍ୟକ୍ତି ଥିବାରୁ ଏହା କେଉଁଠି ଅଛି ସେ ସିଧାସଳଖ କହିପାରିଥାନ୍ତେ। କିନ୍ତୁ ତାହା ନକରି ପିଏସ୍‌ଙ୍କ ଜରିଆରେ ଫାଇଲ୍ ଖୋଜିବା କଥା କହି ସେ ଏବଂ ତାଙ୍କ ଦଳ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ।

ଅନ୍ୟପକ୍ଷରେ, ଏହି ସମ୍ବେଦନଶୀଳ ଫାଇଲ୍ ଚୋରି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ରାଜ୍ୟର ବିଶ୍ୱାସଯୋଗ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ବର୍ତ୍ତମାନ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ଏବଂ ଆଇନଗତ ପ୍ରକ୍ରିୟା ଅନୁସାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ନେତାମାନେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.