ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଗତ କିଛି ଦିନ ହେବ ପରାଜୟ ଏବଂ ବିବାଦ ପଛକୁ ପଛ ଲାଗି ରହିଛି । ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପରାଜୟ ପରେ ଦଳର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କେବଳ ମ୍ୟାଚ୍ ହାରିବା ନୁହେଁ, ବରଂ ଇଂଲଣ୍ଡ ଗସ୍ତ ସମୟରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଏବଂ ଟିମ୍ ମ୍ୟାନେଜମେଣ୍ଟ ରୋହିତଙ୍କୁ ସ୍ପଷ୍ଟ ଜଣାଇ ଦେଇଥିଲେ ଯେ, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରେ ଟିମ୍ରେ ତାଙ୍କ ପାଇଁ ଜାଗା ରହିବ ନାହିଁ । ଟିମ୍ ମ୍ୟାନେଜମେଣ୍ଟର ମତ ଥିଲା ଯେ, ରୋହିତଙ୍କୁ ସାମିଲ କରି ଦଳ ୨୦୨୭ ଓଡିଆଇ ବିଶ୍ୱକପ୍ ଜିତିପାରିବ ନାହିଁ । ଏନେଇ ଜଣେ ଚୟନକର୍ତ୍ତା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ ।
କାର୍ଡିଫ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ରୋହିତ ବିଫଳ ହେବା ପରେ ଲର୍ଡସ ମ୍ୟାଚ୍ ରୋହିତଙ୍କ ଶେଷ ଦିନିକିଆ ହୋଇପାରେ ବୋଲି ଖବର ଭାଇରାଲ ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ରୋହିତଙ୍କ ସନ୍ୟାସକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲା । ବିବାଦ ବଢ଼ୁଥିବା ଦେଖି ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଇଥିଲେ ଯେ, ରୋହିତ କୁଆଡ଼େ ଯାଉନାହାନ୍ତି ଏବଂ ସେ ଆଗକୁ ମଧ୍ୟ ଭାରତୀୟ ଦଳ ପାଇଁ ଖେଳିବେ । ଏହାପରେ ରୋହିତ ଲର୍ଡସରେ ୧୩୮ ରନ୍ର ଦମଦାର ଶତକ ହାସଲ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
ବିସିସିଆଇ ଓ ଚୟନ କମିଟି ମଧ୍ୟରେ ମତଭେଦ ବିସିସିଆଇର ଏହି ଆକସ୍ମିକ ସ୍ପଷ୍ଟୀକରଣ ଯୋଗୁଁ ଚୟନ କମିଟି ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚୟନ କମିଟି ନିଜକୁ ନିରାଶ ଏବଂ ପ୍ରତାରିତ ମନେକରୁଛି । ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆର ଚାପରେ ଆସି ବୋର୍ଡ ନିଜ ନିଷ୍ପତ୍ତି ବଦଳାଇ ଦେଇଛି, ଯାହା ଫଳରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ ଏବେ ସଂଶୟରେ ପଡ଼ିଯାଇଛି । ଅଗରକରଙ୍କ ସ୍ଥାନରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।