Latest Odisha News

BREAKING NEWS

ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଗତକାଲିଠୁ କଟକ-ଭୁବନେଶ୍ୱର ଟୁଇନ ସିଟିରେ ଝିପି ଝିପି ବର୍ଷା ଲାଗି ରହିଛି। ସେପଟେ ଆଜି ସକାଳ ସାଢ଼େ ୮ଟା ଯାଏଁ ମୟୂରଭଞ୍ଜ ଓ କଟକ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

କଟକ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଏହାସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଓ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟକା ପବନ ବହିପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ରହିବା ନେଇ ସୂଚନା ଦିଆଯାଇଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୧୦୭.୯ ମି.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଯାଜପୁର ଜିଲ୍ଲା ଜେନାପୁରରେ ୧୦୬.୮ ମି.ମି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୧୦୦ ମି.ମି, କଟକ ଜିଲ୍ଲା ମାହାଙ୍ଗାରେ ୯୨ ମି.ମି, ନିଶ୍ଚିନ୍ତକୋଇଲିରେ ୮୨ ମି.ମି, କଣ୍ଟାପଡ଼ାରେ ୮୧ ମି.ମି, ଭଦ୍ରକ ଜିଲା ଭଣ୍ଡାରିପୋଖରୀରେ ୮୦ ମି.ମି, ଯାଜପୁର ଜିଲ୍ଲା ସୁକିନ୍ଦାରେ ୭୬ ମି.ମି, ଯାଜପୁରରେ ୭୫ ମି.ମି, ବାଲେଶ୍ୱର ଜିଲ୍ଲା ରାଜଘାଟରେ ୭୪.୮ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

 

Leave A Reply

Your email address will not be published.