ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ବା ହାଇ ବିପି ନିୟନ୍ତ୍ରଣ ପାଇଁ ଖାଉଥିବା ଔଷଧ କଣ କର୍କଟ ବା କ୍ୟାନସର ରୋଗର କାରଣ ହୋଇପାରେ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍କଟ ଗବେଷଣା ଶାଖାଆଇଏଆରସିପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି ।
ଏହି ରିପୋର୍ଟ ଅନୁଯାୟୀ, ଉଚ୍ଚ ରକ୍ତଚାପ, ଫଙ୍ଗଲ ଇନଫେକସନ ଏବଂ ଅଙ୍ଗ ପ୍ରତିରୋପଣ ପାଇଁ ବ୍ୟବହୃତ ହେଉଥିବା ତିନୋଟି ପ୍ରମୁଖ ଔଷଧକୁ କାର୍ସିନୋଜେନିକ ଗ୍ରୁପ ୧ ବା କର୍କଟ ସୃଷ୍ଟିକାରୀ ଶ୍ରେଣୀରେ ଭୁକ୍ତ କରାଯାଇଛି।
ଆଇଏଆରସି ମୋନୋଗ୍ରାଫ୍ ଭଲ୍ୟୁମ ୧୩୭ ରେ ପ୍ରକାଶିତ ଏହିଗବେଷଣାଅନୁଯାୟୀ, ହାଇ ବିପି ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଥିବା ଔଷଧହାଇଡ୍ରୋକ୍ଲୋରୋଥିଆଜାଇଡ୍, ଫଙ୍ଗସ ସଂକ୍ରମଣ ପାଇଁ ବ୍ୟବହୃତ ଭୋରିକୋନାଜୋଲ ଏବଂ ଅଙ୍ଗ ପ୍ରତିରୋପଣ ବେଳେ ଦିଆଯାଉଥିବା ଟାକ୍ରୋଲିମସ ନାମକ ଔଷଧ ମଣିଷ ଶରୀରରେ କର୍କଟ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି।
ବିଶେଷ କରି ହାଇଡ୍ରୋକ୍ଲୋରୋଥିଆଜାଇଡ୍ ଔଷଧ ଖାଉଥିବା ଲୋକଙ୍କ କ୍ଷେତ୍ରରେ ଚର୍ମ ଓ ଓଠ କର୍କଟ ହେବାର ଆଶଙ୍କା ଦେଖାଦେଇଛି। ଏହି ଔଷଧ ଖାଇବା ଦ୍ୱାରା ତ୍ୱଚା ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ପ୍ରତି ଅତି ସମ୍ବେଦନଶୀଳ ହୋଇଯାଏ।
ଏହି ରିପୋର୍ଟ ଆସିବା ପରେ ଲୋକଙ୍କ ମନରେ ସ୍ୱାଭାବିକ ଭାବେ ଭୟ ସୃଷ୍ଟି ହୋଇଛି। ତେବେ ବିଶେଷଜ୍ଞମାନେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ଧର୍ମଶୀଳା ନାରାୟଣା ହସ୍ପିଟାଲର ରେଡିଏସନ ଅଙ୍କୋଲୋଜି ନିର୍ଦ୍ଦେଶିକା ଡାକ୍ତର କନିକା ସୁଦ୍ ଶର୍ମା କହିଛନ୍ତି ଯେ, ଏହି ଔଷଧ ଖାଉଥିବା ସମସ୍ତ ରୋଗୀଙ୍କୁ କ୍ୟାନସର ହେବାର ଆଶଙ୍କା ନାହିଁ। ଯେଉଁମାନେ ଦୀର୍ଘ ଦିନ ଧରି ଏହି ଔଷଧ ଖାଉଛନ୍ତି ଏବଂ ଖରାରେ ଅଧିକ ସମୟ କାମ କରୁଛନ୍ତି ବିଶେଷ କରି କୃଷକ ଏବଂ ବାହାରେ କାମ କରୁଥିବା ଶ୍ରମିକ, ସେମାନଙ୍କ ଠାରେ ସ୍କିନ କ୍ୟାନସରର ବିପଦ ଅଧିକ ଥାଏ। ଓଠ ମଧ୍ୟ ସୂର୍ଯ୍ୟ କିରଣର ସିଧାସଳଖ ସଂସ୍ପର୍ଶରେ ଆସୁଥିବାରୁ ଏହା ପ୍ରଭାବିତ ହେବାର ଭୟ ରହିଛି ।
ସେହିପରି ଦିଲ୍ଲୀ ଆପୋଲୋ ହସ୍ପିଟାଲର ବରିଷ୍ଠ କର୍କଟ ବିଶେଷଜ୍ଞ ଡାକ୍ତର ଅକ୍ଷତ ମଲ୍ଲିକ ସତର୍କ କରାଇଛନ୍ତି ଯେ, କ୍ୟାନସର ଭୟରେ ରୋଗୀମାନେ ନିଜ ଇଚ୍ଛାରେ ଏହି ଔଷଧ ଖାଇବା ବନ୍ଦ କରିବା ଉଚିତ ନୁହେଁ। ହଠାତ୍ ବିପି କିମ୍ବା ଅଙ୍ଗ ପ୍ରତିରୋପଣ ଔଷଧ ବନ୍ଦ କରିଦେଲେ ହୃଦଘାତ କିମ୍ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ଯାହାକି ତୁରନ୍ତ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ।
ରୋଗୀମାନେ କୌଣସି ପଦକ୍ଷେପ ନେବା ପୂର୍ବରୁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିବା ନିତାନ୍ତ ଜରୁରୀ। ଯଦି ଶରୀରରେ କୌଣସି ଅସ୍ୱାଭାବିକ କଳାଜାଇ ବାହାରୁଛି କିମ୍ବା ଚର୍ମରେ କିଛି ପରିବର୍ତ୍ତନ ଦେଖାଯାଏ, ତେବେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ। ଭାରତ ଭଳି ଦେଶରେ ଖରାରେ ବାହାରିବା ବେଳେ ସୂର୍ଯ୍ୟକିରଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
