ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ର ଆନ୍ଦୋଳନ ଏବେ ଉଗ୍ର ରୂପ ନେବାରେ ଲାଗିଛି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଛାତ୍ରନେତା ଦେବେନ୍ଦ୍ର ନାଥ ମାହାତୋଙ୍କ ଆମରଣ ଅନଶନ ୮ମ ଦିନରେ ପହଞ୍ଚିଛି।
ବିଗତ କିଛି ଦିନ ହେବ ବିନା ଅନ୍ନଜଳରେ ଦେବେନ୍ଦ୍ର ନାଥ ଧାରଣାରେ ବସିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ତେବେ ବିଶିଷ୍ଟ ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ଭିଡିଓ କଲ୍ ମାଧ୍ୟମରେ ଦେବେନ୍ଦ୍ରଙ୍କ ସହ କଥା ହୋଇ ତାଙ୍କୁ ପାଣି ପିଇବାକୁ ଅନୁରୋଧ କରିଥିଲେ। “ଆମକୁ ଆନ୍ଦୋଳନ କରିବାର ଅଛି, ଆତ୍ମହତ୍ୟା ନୁହେଁ” ବୋଲି ୱାଙ୍ଗଚୁକ ବୁଝାଇବା ପରେ ଦେବେନ୍ଦ୍ର କେବଳ ଲୁଣ ଓ ପାଣି ଗ୍ରହଣ କରିଛନ୍ତି, କିନ୍ତୁ ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭୋକ ହରତାଳ ଜାରି ରଖିବାକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି।
ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ୧୪ଶ ଜେପିଏସସି ପ୍ରିଲିମିନାରୀ ସମେତ ୨୦୧୯ ପରେ ଅନୁଷ୍ଠିତ ଅନ୍ୟାନ୍ୟ ବିବାଦୀୟ ପରୀକ୍ଷାକୁ ତୁରନ୍ତ ବାତିଲ କରିବା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଏକ ନିରପେକ୍ଷ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏହା ସହିତ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବାକୁ ସେମାନେ ଅଡ଼ି ବସିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ଏବଂ ସିଆଇଡି ପରୀକ୍ଷା ଅନିୟମିତତା ମାମଲାରେ ୧୯ ଜଣଙ୍କୁ ଗିରଫ କରିସାରିଲାଣି ବୋଲି ସୂଚନା ଦିଆଯାଇଛି।
ଅନ୍ୟପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ଛାତ୍ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ସରକାର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ସୁଧାର ଆଣିବା ନିମନ୍ତେ ଏକ ସ୍ୱତନ୍ତ୍ର ଇ-ମେଲ୍ ଆଇଡି ଜାରି କରାଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜର ମତାମତ ଦେଇପାରିବେ। ତଥାପି, କେବଳ ପ୍ରତିଶ୍ରୁତି ନୁହେଁ ବରଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ରାଞ୍ଚି ରାଜରାସ୍ତାରେ ଏହି ସଂଗ୍ରାମ ଅବ୍ୟାହତ ରହିବ ବୋଲି ଛାତ୍ର ସଂଗଠନ ତରଫରୁ ସ୍ପଷ୍ଟ କରିଦିଆଯାଇଛି।
