Latest Odisha News

BREAKING NEWS

ଏୟାର ଇଣ୍ଡିଆର ଫୁକେଟ-ଦିଲ୍ଲୀ ଫ୍ଲାଇଟ୍ ବିପଦରେ ପକାଇଥିବା ମୁଖ୍ୟ ପାଇଲଟଙ୍କ ଡୋପ୍ ଟେଷ୍ଟ ପଜିଟିଭ୍

ନୂଆଦିଲ୍ଲୀ: ନିକଟରେ ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ ହଠାତ୍ ଆକାଶ ମାର୍ଗରେ ୩୦୦ ଫୁଟ୍ ତଳକୁ ଖସିପଡ଼ିବା ଘଟଣାରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏହି ବିମାନଟିକୁ ଉଡ଼ାଉଥିବା ମୁଖ୍ୟ ପାଇଲଟ୍ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି। ତାଙ୍କର ଦ୍ୱିତୀୟ ଡୋପ୍ ଟେଷ୍ଟ ରିପୋର୍ଟରେ ସେ ଗଞ୍ଜେଇ ସେବନ କରିଥିବା ନେଇ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୪ ତାରିଖରେ ଘଟିଥିବା ଏହି ଅଘଟଣ ପରେ ବିମାନର ଉଭୟ ପାଇଲଟଙ୍କର ବାଧ୍ୟତାମୂଳକ ନିଶାଦ୍ରବ୍ୟ ଯାଞ୍ଚ କରାଯାଇଥିଲା। କୋ-ପାଇଲଟଙ୍କ ରିପୋର୍ଟ ସ୍ୱାଭାବିକ ଆସିଥିବା ବେଳେ ମୁଖ୍ୟ ପାଇଲଟଙ୍କ ପ୍ରାଥମିକ ଟେଷ୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ତାଙ୍କ ନମୁନାକୁ ଅଧିକ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଲ୍ୟାବକୁ ପଠାଯାଇଥିଲା, ଯାହାର ରିପୋର୍ଟ ଏବେ ପଜିଟିଭ୍ ଆସିଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଉଡ଼ାଣ ଦାୟିତ୍ୱରୁ ହଟାଇ ଦିଆଯାଇଛି।

ଅଗଷ୍ଟ ୪ ତାରିଖ ଦିନ ଫୁକେଟରୁ ୧୩୭ ଜଣ ଯାତ୍ରୀ ଏବଂ ୮ ଜଣ କ୍ରୁ ମେମ୍ବରଙ୍କୁ ନେଇ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର (ଏଆଇ-୨୩୭୯) ଏୟାରବସ୍ ଏ-୩୨୦ ବିମାନଟି ହଠାତ୍ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା। ଏହି ଘଟଣାରେ ୧୩ ଜଣ ଯାତ୍ରୀ ଏବଂ ୪ ଜଣ କ୍ୟାବିନ୍ କ୍ରୁ ଆହତ ହୋଇଥିଲେ, ଯେଉଁଥିରୁ କିଛି କ୍ରୁ ମେମ୍ବରଙ୍କ ମେରୁଦଣ୍ଡ ଏବଂ ବେକରେ ଗଭୀର ଆଘାତ ଲାଗିଥିଲା। ବିମାନଟି ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିବା ପରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହାକୁ ଏକ ‘ଗୁରୁତର ଘଟଣା’ ଭାବେ ଗ୍ରହଣ କରିଥିବା ବେଳେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ତରଫରୁ ତଦନ୍ତ ଜାରି ରହିଛି। ବିମାନରେ ଅଟୋପାଇଲଟ୍ ବିଚ୍ଛିନ୍ନ ହେବା ଏବଂ ହାଇଡ୍ରୋଲିକ୍ ବିଫଳତା ଭଳି ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଦେଇଥିବା ରିପୋର୍ଟ ମିଳିଛି। ତଦନ୍ତକାରୀମାନେ ବର୍ତ୍ତମାନ ଏହି ଦିଗରେ ତଦନ୍ତ କରୁଛନ୍ତି ଯେ ବିମାନ ଯେଉଁ ଉଚ୍ଚତାରେ ଉଡୁଥିଲା ତାହା ହ୍ରାସ ପାଇବା ପଛରେ ଯାନ୍ତ୍ରିକ ତ୍ରୁଟି ନା ପାଇଲଟଙ୍କ ନିଶାସକ୍ତ ଅବସ୍ଥା ଦାୟୀ ଥିଲା । ଏହି ତଦନ୍ତ ପ୍ରକ୍ରିୟାରେ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଏୟାରବସ୍ ଏବଂ ଫ୍ରାନ୍ସର ଏଭିଏସନ୍ ସଂସ୍ଥା ମଧ୍ୟ ସହଯୋଗ କରିବେ।

ଏହି ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ମଙ୍ଗଳବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନଙ୍କୁ ଡାକି ଏହି ପ୍ରସଙ୍ଗରେ ପଚରାଉଚରା କରିବା ସହ ଯାତ୍ରୀଙ୍କ ସୁରକ୍ଷା ଉପରେ କଡ଼ା ତାଗିଦ କରିଛନ୍ତି।

Leave A Reply

Your email address will not be published.