ଗାଲେ: ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି । ସ୍ପିନ୍-ଅନୁକୂଳ ପିଚରେ ଭାରତୀୟ ଦଳ ୩ ଜଣ ବାମହାତୀ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇପାରେ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ମାନବ ସୁଥାରଙ୍କ ବିବିଧତା ଦଳ ପାଇଁ ବେଶ୍ ଫାଇଦାଜନକ ପ୍ରମାଣିତ ହୋଇପାରେ । ମୋର୍କେଲଙ୍କ କହିବା ଅନୁଯାୟୀ, ଏହି ତିନିଜଣଙ୍କ ବୋଲିଂ ଶୈଳୀ ପୃଥକ । କୁଲଦୀପ ଜଣେ ଆକ୍ରମଣାତ୍ମକ ବୋଲର ଏବଂ ସୁଥାର ଅଧିକ ଟର୍ନ୍ କରାନ୍ତି, ସେହିପରି ଜାଡେଜା ସଠିକ୍ ସ୍ଥାନରେ ବୋଲିଂ କରନ୍ତି । ଅଧିନାୟକ ଶୁବମନ ଗିଲ୍ ସେମାନଙ୍କୁ କିପରି ବ୍ୟବହାର କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ।
ମୋର୍ନେ ମୋର୍କେଲ ଗାଲେର ପିଚ୍ ସାଧାରଣତଃ ମ୍ୟାଚ୍ ଆଗେଇବା ସହ ସ୍ପିନରଙ୍କୁ ଅଧିକ ସହାୟତା କରିଥାଏ । ତେଣୁ ୩ ଜଣ ସ୍ପିନରଙ୍କୁ ନେଇ ଓହ୍ଲାଇବା ଏକ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ବିକଳ୍ପ ହେ ବ। ଏହି ପରିସ୍ଥିତିରେ କେବଳ ବୋଲିଂ ନୁହେଁ, ମାନସିକ ସ୍ତରରେ ଦୃଢ଼ ରହି ଦୀର୍ଘ ସମୟ ଧରି ସଠିକ୍ ଲାଇନ୍ରେ ବୋଲିଂ କରିବା ସବୁଠାରୁ ବଡ଼ କଥା । ପେସ୍ ବାହିନୀରେ ଅଭିଜ୍ଞ ମହମ୍ମଦ ସିରାଜଙ୍କ ସହ ପ୍ରସିଦ୍ଧ କୃଷ୍ଣା କିମ୍ବା ଗୁରନୁର ବ୍ରାରଙ୍କ ମଧ୍ୟରୁ ଜଣଙ୍କୁ ଦ୍ୱିତୀୟ ଫାଷ୍ଟ ବୋଲର ଭାବେ ସୁଯୋଗ ମିଳିପାରେ । ଗାଲେର ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳି ପେସରଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେବ । ୨୦ରୁ ୩୫ ଓଭର ପରେ କୁକାବୁରା ବଲ୍ ନରମ ପଡ଼ିଯାଏ । ଏହାପରେ ବୋଲରମାନଙ୍କୁ କ୍ରିଜ୍ର ବ୍ୟବହାର ଏବଂ ଶର୍ଟ ବଲ୍ ରଣନୀତି ଆପଣାଇ ଚାପ ସୃଷ୍ଟି କରିବାକୁ ପଡ଼ିବ ମୋର୍କେଲଙ୍କ କହିଛନ୍ତି ।
