କଟକ: ରାଜ୍ୟର ସର୍ବପୁରାତନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ୱାର୍ଡେନଙ୍କ ବଦଳି ଏବଂ ରାଜନୈତିକ ହସ୍ତକ୍ଷେପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସଂଘ (RUTA) ସିଧାସଳଖ ମୁହଁଖୋଲିବା ସହ ବିବାଦୀୟ ୱାର୍ଡେନ ବଦଳି ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୃଢ଼ ଦାବି ଜଣାଇଛି।
କିଛି ଦିନ ପୂର୍ବେ କଟକ ସଦର ବିଧାୟକଙ୍କ ସହ ଏକ ହଷ୍ଟେଲ ସମସ୍ୟାକୁ ନେଇ କର୍ତ୍ତୃପକ୍ଷଙ୍କ ଆଲୋଚନା ବେଳେ ଅଧ୍ୟାପକ ଏବଂ ୱାର୍ଡେନମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶିତ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାର ପ୍ରତିବାଦ ସ୍ୱରୂପ ଏବଂ ନିଜର ଆତ୍ମସମ୍ମାନ ରକ୍ଷା ପାଇଁ ବିଶ୍ୱବିଦ୍ୟାଳୟର ଏକାଧିକ ହଷ୍ଟେଲ ୱାର୍ଡେନ ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାକୁ ନେଇ ସମଗ୍ର କ୍ୟାମ୍ପସରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବାବେଳେ, ଅନ୍ତେବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ହଷ୍ଟେଲ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି।
ବର୍ତ୍ତମାନ ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ଗ୍ରହଣ କରି ‘ରୁଟା’ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶିକ୍ଷାନୁଷ୍ଠାନର ସ୍ୱାଧୀନତା ଏବଂ ଶିକ୍ଷକମାନଙ୍କର ମର୍ଯ୍ୟାଦା ସହିତ କୌଣସି ପ୍ରକାର ଅପସାଧୁ ବୁଝାମଣା କରାଯିବ ନାହିଁ । ବାଧ୍ୟବାଧକତାରେ କରାଯାଇଥିବା ୱାର୍ଡେନମାନଙ୍କର ବଦଳି ଆଦେଶକୁ ଯଦି କର୍ତ୍ତୃପକ୍ଷ ତୁରନ୍ତ ପ୍ରତ୍ୟାହାର ନକରନ୍ତି, ତେବେ ଆଗାମୀ ଦିନରେ ସମସ୍ତ ଅଧ୍ୟାପକ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ବାତାବରଣକୁ ସ୍ୱାଭାବିକ କରିବା ପାଇଁ କୁଳପତି ବିଭିନ୍ନ ପକ୍ଷ ସହ ଆଲୋଚନା ଜାରି ରଖିଛନ୍ତି। ମାତ୍ର ଅଧ୍ୟାପକ ସଂଘ ନିଜ ଜିଦ୍ରେ ଅଟଳ ଥିବାରୁ ସମାଧାନର ବାଟ କଷ୍ଟକର ହୋଇପଡ଼ିଛି।
