6 Firsts This Year: ଲାଲକିଲ୍ଲାରେ ଏଥର ଯୋଡ଼ି ହେଲା ୬ ନୂଆ ଅଧ୍ୟାୟ, ‘ବନ୍ଦେ ମାତରମ୍’ଠାରୁ ସ୍ୱଦେଶୀ ୨୧ ତୋପ ସଲାମୀ, AIରେ ୨୨ ଭାଷାରେ ମୋଦୀଙ୍କ ଭାଷଣ
ନୂଆଦିଲ୍ଲୀ: ଶନିବାର ଅର୍ଥାତ୍ ଅଗଷ୍ଟ ୧୫ରେ ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରତିବର୍ଷ ପରି ଏଥର ମଧ୍ୟ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୩ତମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଚଳିତବର୍ଷର ସମାରୋହ ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ଐତିହ୍ୟକୁ ସ୍ମରଣ କରିବା ସହ ‘ଯୁବଶକ୍ତି’ର ଭୂମିକାକୁ ମଧ୍ୟ ଗୁରୁତ୍ୱ ଦେଉଛି।
ଚଳିତବର୍ଷର ସମାରୋହର ସବୁଠାରୁ ବଡ଼ ଆକର୍ଷଣ ହୋଇଛି ‘ବନ୍ଦେ ମାତରମ୍’। ଲାଲକିଲ୍ଲାର ସ୍ୱାଧୀନତା ଦିବସ ସମାରୋହରେ ପ୍ରଥମ ଥର ପାଇଁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ପରିବେଷଣ କରାଯାଇଛି । ଏହାର ୧୫୦ ବର୍ଷର ଐତିହ୍ୟକୁ ସ୍ମରଣ କରି ଏହି ବିଶେଷ ଆୟୋଜନ କରାଯାଇଛି।
ଏଥିସହିତ ପତାକା ଉତ୍ତୋଳନ ସମୟରେ ଏଥର ଭାରତୀୟ ନିର୍ମିତ ୧୦୫ ମିମି ଲାଇଟ୍ ଫିଲ୍ଡ ଗନ୍ରେ ୨୧ ତୋପ ସଲାମୀ ଦିଆଯାଇଛି । ସମାରୋହରେ ପ୍ରଥମ ଥର ପାଇଁ ପ୍ରମୁଖ ସମସ୍ତ ଉପକରଣରେ ସ୍ୱଦେଶୀ ବ୍ୟବସ୍ଥାର ବ୍ୟବହାର ହୋଇଛି । ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଥମଥର ପାଇଁ ବ୍ରିଟିଶ କାଳୀନ ୨୫-ପାଉଣ୍ଡର ତୋପ ବଦଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୦୫ ଏମ.ଏମ. ଲାଇଟ୍ ଫିଲ୍ଡ ଗନ୍ (LFG) ଜରିଆରେ ୨୧ ତୋପର ସମ୍ମାନଜନକ ଅଭିବାଦନ ଦିଆଯାଇଛି । ଜାତୀୟ ଗାନର ସ୍ୱର ସହିତ ମାତ୍ର ୫୨ ସେକେଣ୍ଡ ମଧ୍ୟରେ ୮ଟି ସ୍ୱଦେଶୀ ତୋପକୁ ନେଇ ଗଠିତ ସ୍ୱତନ୍ତ୍ର ସେରେମୋନିଆଲ୍ ବ୍ୟାଟେରୀ ସଠିକ୍ ଭାବେ ୨୧ଟି ଗୋଳା ଦାଗି ଏହି ଗୌରବମୟ ପରମ୍ପରାକୁ ସମ୍ପାଦନ କରିଛି । ପତାକା ଉତ୍ତୋଳନ ପରେ ଭାରତୀୟ ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଦ୍ୱାରା ଲାଲକିଲ୍ଲା ଉପରେ ପୁଷ୍ପବର୍ଷା କରିଥିଲା । ଏଥିରୁ ଗୋଟିଏ ହେଲିକପ୍ଟରରେ ଜାତୀୟ ପତାକା ଏବଂ ଅନ୍ୟଟିରେ ‘ବନ୍ଦେ ମାତରମ୍’ ଅଙ୍କିତ ପତାକା ରହିଥିଲା ।
ଚଳିତବର୍ଷ ଆଉ ଏକ ବିଶେଷତା ରହିଛି। ପ୍ରଥମ ଥର ପାଇଁ କ୍ୟାପ୍ଟେନ୍ ସୋନିଆ ସିଂହ ଚୌହାନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାତୀୟ ପତାକା ଉତ୍ତୋଳନ ସମୟରେ ସହଯୋଗ କରିଛନ୍ତି ।
ପତାକା ଉତ୍ତୋଳନ ସମୟରେ ଭାରତୀୟ ସେନା, ନୌସେନା, ବାୟୁସେନା ଏବଂ ଦିଲ୍ଲୀ ପୋଲିସର ଜଣେ ଲେଖାଏଁ ଅଧିକାରୀ ଓ ୩୨ ଜଣ ଅନ୍ୟ ପଦାଧିକାରୀଙ୍କୁ ନେଇ ଗଠିତ ନ୍ୟାସନାଲ୍ ଫ୍ଲାଗ୍ ଗାର୍ଡ ‘ରାଷ୍ଟ୍ରୀୟ ସଲାମୀ’ ପ୍ରଦାନ କରିଛନ୍ତି। ମେଜର ଲୋକେନ୍ଦ୍ର ସିଂହ ଶେଖାୱତ୍ ଏହି ଇଣ୍ଟର-ସର୍ଭିସେସ୍ ଗାର୍ଡ ଓ ପୋଲିସ ଗାର୍ଡର ନେତୃତ୍ୱ ନେଇତିଲେ ।
ଏଥର ଲାଲକିଲ୍ଲା ସମାରୋହରେ ପ୍ରାୟ ୫,୦୦୦ ସ୍ୱତନ୍ତ୍ର ଅତିଥି ଯୋଗ ଦେଇଛନ୍ତି । ସମାଜର ବିଭିନ୍ନ ବର୍ଗ ଓ କ୍ଷେତ୍ରରୁ ଏହି ଅତିଥିମାନଙ୍କୁ ଚୟନ କରାଯାଇଛି। ଏହାସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧,୫୦୦ରୁ ଅଧିକ ଲୋକ ପାରମ୍ପରିକ ଭାରତୀୟ ପୋଷାକରେ ସମାରୋହ ଦେଖିବାକୁ ଆସିଛନ୍ତି । ସେହିପରି ୨,୫୦୦ ଜଣ ଏନ୍ସିସି କ୍ୟାଡେଟ୍ ଏବଂ ‘ମାଇଁ ଭାରତ’ ସ୍ୱେଚ୍ଛାସେବୀ ମଧ୍ୟ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଆର୍ମି, ନେଭି ଓ ଏୟାରଫୋର୍ସର ପୁଅ-ଝିଅ କ୍ୟାଡେଟ୍ମାନେ ଗ୍ୟାନପଥରେ ରାମ୍ପାର୍ଟ ସମ୍ମୁଖରେ ବସିଥିଲେ ।
ଚଳିତବର୍ଷ ସମାରୋହରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଲାଇଭ୍ ୨୨ଟି ଭାରତୀୟ ଭାଷାରେ ଅନୁବାଦ କରାଯାଇଛି । ଏଥିପାଇଁ AI ଆଧାରିତ ‘ଡିଜିଟାଲ ଇଣ୍ଡିଆ ଭାଷିଣୀ’ ଆପ୍ର ବ୍ୟବହାର ହୋଇଛି । ଏହା ଦ୍ୱାରା ଦେଶର ବିଭିନ୍ନ ଭାଷାଭାଷୀ ଲୋକ ନିଜ ଭାଷାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବୁଝିପାରିବେ।
ପତାକା ଉତ୍ତୋଳନ ଓ ପୁଷ୍ପବର୍ଷା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କ ଭାଷଣ ଶେଷ ହେବା ପରେ ଏନ୍ସିସି କ୍ୟାଡେଟ୍ ଏବଂ ‘ମାଇଁ ଭାରତ’ ସ୍ୱେଚ୍ଛାସେବୀମାନେ ‘ବନ୍ଦେ ମାତରମ୍’ ପରିବେଷଣ କରିଥିଲେ । ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।
ଚଳିତବର୍ଷର ସ୍ୱାଧୀନତା ଦିବସ ସମାରୋହରେ ଏହି ୬ଟି ନୂଆ ପ୍ରଥମ, ‘ବନ୍ଦେ ମାତରମ୍’ର ବିଶେଷ ପରିବେଷଣ, ସ୍ୱଦେଶୀ ୨୧ ତୋପ ସଲାମୀ, କ୍ୟାପ୍ଟେନ୍ ସୋନିଆ ସିଂହଙ୍କ ଭୂମିକା, ଦୁଇ Mi-17 ହେଲିକପ୍ଟରରେ ପୁଷ୍ପବର୍ଷା, ୫,୦୦୦ ସ୍ୱତନ୍ତ୍ର ଅତିଥିଙ୍କ ଉପସ୍ଥିତି ଏବଂ AI ଦ୍ୱାରା ୨୨ ଭାଷାରେ ଭାଷଣର ଲାଇଭ୍ ଅନୁବାଦ, ସମାରୋହକୁ ଆହୁରି ବିଶେଷ କରିଛି।
