ବାଲେଶ୍ୱର: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖାରେ ଏବେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ତୀବ୍ର ବେଗରେ ବୃଦ୍ଧି ପାଇ ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି। ନଦୀରେ ଜଳସ୍ତର ଅହେତୁକ ଭାବେ ବଢ଼ୁଥିବାରୁ ଏବଂ ଜଳର ସ୍ରୋତ ଅଧିକ ଥିବାରୁ ଜିଲ୍ଲାର ଅନେକ ସ୍ଥାନରେ ନଦୀବନ୍ଧ ଧସିବାରେ ଲାଗିଛି। ଯାହା ଫଳରେ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ମନରେ ଏବେ ଘୋର ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖାର ଜଳ ସ୍ରୋତ ବୃଦ୍ଧି ପାଇବା କାରଣରୁ କାଦରାୟା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ମୁଖ୍ୟ ରାସ୍ତା ନିକଟସ୍ଥ ନଦୀବନ୍ଧର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି। ନଦୀକୂଳ ଖାଇଯାଉଥିବାରୁ ପାଖରେ ଥିବା ରାସ୍ତା ଏବଂ ଗାଁ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଯଦି ଜଳସ୍ତର ଏଭଳି ବୃଦ୍ଧି ପାଏ, ତେବେ ଯେକୌଣସି ମୁହୂର୍ତ୍ତରେ ମୁଖ୍ୟ ରାସ୍ତା ଉପରେ ପାଣି ଚାଲିବ ଏବଂ ଅନେକ ପଞ୍ଚାୟତ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ବନ୍ୟା ଜଳ ପଶିବା ଆଶଙ୍କାରେ ଲୋକେ ନିଜ ନିଜର ଆସବାବପତ୍ର ଓ ଗୃହପାଳିତ ପଶୁଙ୍କୁ ନେଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି।
ବର୍ଷା କାରଣରୁ କେବଳ ସୁବର୍ଣ୍ଣରେଖା ନୁହେଁ, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ଜଳକା ନଦୀ ବିପଦ ସଙ୍କେତ ଟପି ସାରିଥିବା ବେଳେ ବସ୍ତା ଓ ବାଲିଆପାଳ ବ୍ଲକ୍ର ଅନେକ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହୋଇଯାଇଛି।
ବାଲେଶ୍ୱର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଆଗୁଆ ପଦକ୍ଷେପ ସ୍ୱରୂପ ଓଡ୍ରାଫ୍ ତଥା ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ରିଲିଫ୍ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଆହୁରି ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଜିଲ୍ଲାବାସୀଙ୍କ ଦୁର୍ଦ୍ଦଶା ବଢ଼ିବାର ଆଶଙ୍କା କରାଯାଉଛି।
