ରାଉରକେଲା: ପାନପୋଷ ସର୍କିଟ ହାଉସରୁ ଦେଶୀ ବନ୍ଧୁକ ଜବତ ମାମଲାରେ ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନଙ୍କ ଉପରେ ଭାରି ପଡ଼ିଲା । ଆଜି (ଗୁରୁବାର) ରାଉରକେଲାର ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳିତ ଆଚରଣ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପିରୁ ସସ୍ପେଣ୍ଡ୍ ହେଲେ ପ୍ରକାଶ ପାଶ୍ବାନ।
ଗତ ୧୪ ତାରିଖରେ ରାଉରକେଲା ସର୍କିଟ୍ ହାଉସ୍ରୁ ୪ଟି ବନ୍ଧୁକ, ୧୧ଟି ଜୀବନ୍ତଗୁଳି ସହ ୪ଟି ମ୍ୟାଗାଜିନ୍ ତବତ ହେବା ଓ ୭ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିଲେ। ପ୍ରାୟ ୨୦ରୁ ଅଧିକ ଦିନ ଧରି ଅପରାଧୀଙ୍କ ସୁରକ୍ଷିତ ଆଡା ପାଲଟିଥିଲା ସର୍କିଟ୍ ହାଉସ୍। ଅପରାଧୀମାନଙ୍କୁ ଆଶ୍ରୟ ଦେବା ଓ ସର୍କିଟ୍ ହାଉସରେ ରୁମ୍ ବୁକ୍ କରିବା ପଛରେ ପ୍ରକାଶ ପାଶ୍ୱାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ରହିଥିବା ଚର୍ଚ୍ଚା ହେଉଛି।
ତେବେ ପ୍ରକାଶଙ୍କ ଉପରେ ପୋଲିସର କୌଣସି ଆକ୍ସନ ପୂର୍ବରୁ ଆଜି ବିଜେପିରୁ ତାଙ୍କ ନିଲମ୍ବନ କରିଛି ଦଳ। ଦଳରୁ ସସ୍ପେଣ୍ଡ୍ ହୋଇଥିବାରୁ ଏବେ ପ୍ରକାଶ ପାଶ୍ବାନଙ୍କ ଅଡୁଆ ବଢ଼ିବା ନେଇ ଅନୁମାନ କରାଯାଉଛି।
ପ୍ରକାଶ ପାଶ୍ବାନ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଶୃଙ୍ଖଳା ଆଚରଣ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପାଶଓ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଶୃଙ୍ଖଳା କମିଟି ରାଜ୍ୟ ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।

