ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳର ଶ୍ରମିକ ସଙ୍ଗଠନ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’ର ବିଧିବଦ୍ଧ ପୁନର୍ଗଠନ କରାଯାଇଛି । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ କର୍ମକର୍ତ୍ତା ତାଲିକାକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟର ଅସଂଗଠିତ ତଥା ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସେମାନଙ୍କ ହକ୍ ପାଇଁ ଲଢ଼େଇ କରିବା ଲକ୍ଷ୍ୟରେ ଏହି ସାଂଗଠନିକ ଅଦଳବଦଳ କରାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ପୁନର୍ବିନ୍ୟାସ ପ୍ରକ୍ରିୟାରେ ରାଜ୍ୟ, ଜିଲ୍ଲା ଏବଂ ଜୋନାଲ ସ୍ତରରେ ଅନେକ ବରିଷ୍ଠ ନେତା ତଥା ପରିଚିତ ଟ୍ରେଡ୍ ୟୁନିୟନ ଚେହେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳର ଶ୍ରମିକ କଲ୍ୟାଣ ନୀତି ଏବଂ ଆଭିମୁଖ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହି ନୂଆ ଟିମ୍ କାର୍ଯ୍ୟ କରିବ। ଆଗାମୀ ଦିନରେ ଶ୍ରମିକମାନଙ୍କ କର୍ମକ୍ଷେତ୍ରରେ ସୁରକ୍ଷା, ସେମାନଙ୍କ ନ୍ୟାଯ୍ୟ ଦାବି ଏବଂ ସାମାଜିକ ନିରାପତ୍ତା ପ୍ରସଙ୍ଗକୁ ନେଇ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଜଣାପଡ଼ିଛି ।
ବିଶେଷ କରି ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳଗୁଡ଼ିକରେ ବିଜେଡିର ଭୋଟ୍ ବ୍ୟାଙ୍କକୁ ମଜବୁତ କରିବା ସହ ଶ୍ରମିକ ଗୋଷ୍ଠୀଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନୂତନ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଅତୀତରେ ବିଜେଡି ସରକାର ଅମଳରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ବିରୋଧୀ ଆସନରେ ଥିବା ବିଜେଡି, ଶ୍ରମିକମାନଙ୍କ ସମସ୍ୟାକୁ ଉଠାଇ ଏକ ବଡ଼ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।
ପ୍ରକାଶ ଥାଉ କି, ରାଜ୍ୟରେ ଏବେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୈତିକ ଉଷ୍ମତା ଲାଗିରହିଥିବା ବେଳେ, ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦଳର ଏହି ସାଂଗଠନିକ ନବକଳେବର ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱ ବହନ କରୁଛି । ନୂଆ ଦାୟିତ୍ୱ ପାଇଥିବା କର୍ମକର୍ତ୍ତାମାନେ ତୁରନ୍ତ ନିଜ ନିଜ ଅଞ୍ଚଳରେ ଶ୍ରମିକ ସମାବେଶ କରିବା ସହ ସେମାନଙ୍କ ସମସ୍ୟା ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକୁ ସରକାରଙ୍କ ଦୃଷ୍ଟିଗୋଚର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

