ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଶାମ୍ପୁରେ ଅନେକ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ବା କେମିକାଲ୍ ବ୍ୟବହାର କରାଯାଉଛି । ପ୍ରତିଦିନ କିମ୍ବା ବାରମ୍ବାର ଏହି କେମିକାଲଯୁକ୍ତ ଶାମ୍ପୁ ଲଗାଇବା ଦ୍ୱାରା କେଶର ପ୍ରାକୃତିକ ତେଲ ନଷ୍ଟ ହୋଇଯିବା ସହ କେଶ ରୁକ୍ଷ ଏବଂ ଦୁର୍ବଳ ହୋଇଯାଏ। ଏହାର ପରିଣାମ ସ୍ୱରୂପ ଅକାଳରେ କେଶ ପାଚିବା, ଝଡ଼ିବା ଏବଂ ରୁପି (ଡାଣ୍ଡ୍ରଫ୍) ଭଳି ସମସ୍ୟା ଦେଖାଦିଏ। ତେବେ ବିନା ଶାମ୍ପୁରେ କିପରି କେଶ ସଫା ରଖିବେ ଏବଂ ଏହାର ଚମକ ବଜାୟ ରଖିବେ, ତାହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ, ଆମ ରୋଷେଇ ଘରେ ଏପରି ଅନେକ ପ୍ରାକୃତିକ ବିକଳ୍ପ ରହିଛି, ଯାହା ଶାମ୍ପୁ ଠାରୁ ବହୁତ ଭଲ କାମ କରିଥାଏ।
ରିଠା, ଶିକାକାଇ ଏବଂ ଅଁଳା: ଭାରତୀୟ ପରମ୍ପରାରେ କେଶ ସଫା କରିବା ପାଇଁ ରିଠା, ଅଁଳା ଏବଂ ଶିକାକାଇର ବ୍ୟବହାର ପୁରାତନ କାଳରୁ ହୋଇଆସୁଛି। ରିଠାରେ ଥିବା ପ୍ରାକୃତିକ ସାପୋନିନ୍ କେଶରୁ ମଇଳା ବାହାର କରିବାରେ ସାହାଯ୍ୟ କରେ। ଶିକାକାଇ ଏବଂ ଅଁଳା କେଶକୁ ମଜବୁତ କରିବା ସହ କଳା ରଖିବାରେ ସହାୟକ ହୋଇଥାଏ। ଏଗୁଡ଼ିକୁ ରାତିରେ ପାଣିରେ ଭିଜାଇ ସକାଳେ ଫୁଟାଇ ଛାଣି ନେବା ପରେ, ସେହି ପାଣିରେ କେଶ ଧୋଇଲେ କେଶ ଘନ ଓ ଚମକଦାର ହୁଏ ।
ଦହି ଏବଂ ଲେମ୍ବୁ: ଯଦି ଆପଣଙ୍କ କେଶରେ ରୁପି ସମସ୍ୟା ଅଛି, ତେବେ ଖଟା ଦହିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ଏକ ପ୍ରାକୃତିକ କ୍ଲିଞ୍ଜର ଏବଂ କଣ୍ଡିସନର ଭଳି କାମ କରେ, ଯାହା ସ୍କାଲ୍ପକୁ ସଫା ରଖିବା ସହ କେଶକୁ ମୁଲାୟମ୍ କରିଥାଏ ।
ମୁଲତାନି ମାଟି: ମୁଲତାନି ମାଟି ମଧ୍ୟ କେଶ ସଫା କରିବାର ଏକ ଶସ୍ତା ଓ ସହଜ ଉପାୟ। ଏହା ସ୍କାଲ୍ପରେ ଥିବା ଅତିରିକ୍ତ ତେଲକୁ ସମ୍ପୂର୍ଣ୍ଣ ଶୋଷିନିଏ। ମୁଲତାନି ମାଟିରେ ଅଳ୍ପ ପାଣି କିମ୍ବା ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ କେଶରେ ଲଗାଇ ୨୦ ମିନିଟ୍ ପରେ ଭଲଭାବେ ଧୋଇ ଦିଅନ୍ତୁ ।
ଆଲୋଭେରା ଗଛର ରସ: ଆଲୋଭେରା (ଘିକୁଆଁରୀ) କେବଳ ତ୍ୱଚା ନୁହେଁ, ବରଂ କେଶ ପାଇଁ ମଧ୍ୟ ଏକ ବରଦାନ। ଏହାର ଜେଲ୍କୁ ସିଧାସଳଖ କେଶମୂଳରେ ଲଗାଇ କିଛି ସମୟ ମାଲିସ୍ କରିବା ପରେ ଧୋଇଦେଲେ, କେଶ ସଫା ହେବା ସହ ମଜବୁତ ହୋଇଥାଏ ।
କେମିକାଲଯୁକ୍ତ ପ୍ରସାଧନ ସାମଗ୍ରୀଠାରୁ ଦୂରେଇ ରହି ଏହି ଘରୋଇ ଏବଂ ପ୍ରାକୃତିକ ଉପାୟଗୁଡ଼ିକୁ ନିୟମିତ ବ୍ୟବହାର କଲେ, ଆପଣଙ୍କ କେଶ ଦୀର୍ଘ ଦିନ ଧରି ସୁସ୍ଥ ଓ ସୁନ୍ଦର ରହିପାରିବ ।

