ବିନା ଦରମାରେ ଗୁଣ୍ଡାଭଲି ଷ୍ଟେସନରେ ଡ୍ୟୁଟି କରୁଥିଲା ବୁଲା ବିଲେଇ: ଯାତ୍ରୀଙ୍କ ଅନୁରୋଧ ରଖି ଖାସ୍ ପଦ ଦେଲା ମୁମ୍ବାଇ ମେଟ୍ରୋ
ମୁମ୍ବାଇ: ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନ ଭିତରେ ମୁମ୍ବାଇ ଲୋକାଲ୍ ଓ ମେଟ୍ରୋ ଷ୍ଟେସନରେ ଅନେକ ସମୟରେ କିଛି ନା କିଛି ଘଟଣା ଭାଇରାଲ୍ ହୋଇଥାଏ । ତେବେ ଏଥର କୌଣସି ବିବାଦ କିମ୍ବା ମଣିଷ ନୁହେଁ, ବରଂ ଏକ ବୁଲା ବିଲେଇକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ମୁମ୍ବାଇର ଗୁଣ୍ଡାଭଲି ମେଟ୍ରୋ ଷ୍ଟେସନରେ ବୁଲୁଥିବା ଏକ ନାରଙ୍ଗୀ ରଙ୍ଗର ବିଲେଇକୁ ମୁମ୍ବାଇ ମେଟ୍ରୋ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ଏକ ସ୍ୱତନ୍ତ୍ର ପଦବୀ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗୁଣ୍ଡାଭଲି ଷ୍ଟେସନ (ରେଡ୍ ଲାଇନ୍-୭) ପରିସରରେ ଗତ କିଛି ମାସ ଧରି ଏହି ବିଲେଇଟିକୁ ନିୟମିତ ଦେଖିବାକୁ ମିଳୁଥିଲା। ଏଣ୍ଟ୍ରି ଗେଟ୍ ନିକଟରେ ବସି ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ପୂରା ଷ୍ଟେସନ ବୁଲି ସୁରକ୍ଷା ଯାଞ୍ଚ କଲା ଭଳି ତାର ଅନ୍ଦାଜ ଦେଖିବାକୁ ମିଳେ। ସନ୍ଦେଶ ସାମନ୍ତ ନାମକ ଜଣେ ଯାତ୍ରୀ ବିଲେଇର ଏହି ଡ୍ୟୁଟି କରୁଥିବା ଫଟୋ ଉଠାଇ ମହା ମୁମ୍ବାଇ ମେଟ୍ରୋ ଅପରେସନ କର୍ପୋରେସନ ଲିମିଟେଡକୁ ଟ୍ୟାଗ୍ କରି ଏକ ମଜାଦାର ପୋଷ୍ଟ କରିଥିଲେ। ବିନା ଦରମାରେ କାମ କରୁଥିବା ଏହି ଷ୍ଟେସନ ଜଗୁଆଳିକୁ ଏକ ସରକାରୀ ପଦବୀ ଦେବାକୁ ସେ ମଜାରେ ଅନୁରୋଧ କରିଥିଲେ।
ଯାତ୍ରୀଙ୍କ ଏହି ଅନୁରୋଧକୁ ମେଟ୍ରୋ କମ୍ପାନୀ ମଧ୍ୟ ବେଶ୍ ସକାରାତ୍ମକ ତଥା ମଜାଦାର ଢଙ୍ଗରେ ଗ୍ରହଣ କରିଥିଲା। MMMOCL ପକ୍ଷରୁ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ବିଲେଇଟିକୁ ‘ଚିଫ୍ ଫେଲାଇନ୍ ଅଫିସର’ ବା ମୁଖ୍ୟ ବିଲେଇ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, କମ୍ପାନୀ ପକ୍ଷରୁ ବିଲେଇର ଦାୟିତ୍ୱ ମଧ୍ୟ ଧାର୍ଯ୍ୟ କରାଯାଇଛି। ଷ୍ଟେସନର ନିରୀକ୍ଷଣ କରିବା, ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଏମିତି ଏକ ଜାଗାରେ ବସିବା ଯେଉଁଠାରୁ ସମସ୍ତେ ତାକୁ ଦେଖିପାରିବେ, ତାହା ବିଲେଇର ମୁଖ୍ୟ କାମ ବୋଲି ମେଟ୍ରୋ ପକ୍ଷରୁ କୁହାଯାଇଛି। ଏହା ସହିତ ଏଯାବତ୍ ତାର କାର୍ଯ୍ୟଦକ୍ଷତା ‘ପର୍ଫେକ୍ଟ’ ରହିଥିବା କମ୍ପାନୀ ମଜାରେ ଉଲ୍ଲେଖ କରିଛି।
ଭାଇରାଲ ହେଉଥିବା ଭିଡିଓରେ ବିଲେଇଟିର ବେଫିକର ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଷ୍ଟେସନରେ ପ୍ରବଳ ଭିଡ଼ ସତ୍ତ୍ୱେ ବିଲେଇଟି ନିଜ ଢଙ୍ଗରେ ବସି ରହୁଛି। ଇଣ୍ଟରନେଟ୍ ୟୁଜର୍ସ ଏହି ଘଟଣାକୁ ବେଶ୍ ଉପଭୋଗ କରୁଥିବା ବେଳେ କେହି କେହି ବିଲେଇ ପାଇଁ ଆଇଡି କାର୍ଡ ଓ ୟୁନିଫର୍ମର ମଧ୍ୟ ଦାବି କରିଛନ୍ତି। କିଛି ଲୋକ ଷ୍ଟେସନର ନାମ ବଦଳାଇ ‘ମ୍ୟାଉଁଭଲି’ ରଖିବାକୁ ପରାମର୍ଶ ଦେଇଛନ୍ତି। ବ୍ରିଟେନର ପ୍ରଧାନମନ୍ତ୍ରୀ ନିବାସ ସମେତ ବିଦେଶରେ ଏଭଳି ପଶୁମାନଙ୍କୁ ସରକାରୀ ପଦବୀ ମିଳିବା ସାଧାରଣ କଥା ହୋଇଥିବା ବେଳେ ମୁମ୍ବାଇ ମେଟ୍ରୋର ଏହି ଅଭିନବ ପଦକ୍ଷେପ ଏବେ ଯାତ୍ରୀମାନଙ୍କ ମୁହଁରେ ହସ ଫୁଟାଇଛି।

