Latest Odisha News

BREAKING NEWS

୬ ବର୍ଷ ପରେ ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ? ଇଲେକ୍ଟ୍ରିକ୍ ଗାଡ଼ି ଓ ରପ୍ତାନି କ୍ଷେତ୍ର ପାଇଁ ନୂଆ ଢାଞ୍ଚା ପ୍ରସ୍ତୁତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲଗାତାର ଟାରିଫ୍ ଧମକ ଏବଂ ଋଷିଆଠାରୁ ତୈଳ କ୍ରୟକୁ ନେଇ ଆସୁଥିବା ଚେତାବନୀ ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱ ବାଣିଜ୍ୟ ଗ୍ଲୋବାଲ୍ ସପ୍ଲାଇ ଚେନରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭାରତ ଓ ଚୀନ୍ ଏବେ ହାତ ମିଳାଇବାକୁ ଯାଉଛନ୍ତି। ଦୀର୍ଘ ଦିନର ସୀମା ବିବାଦ ପରେ ଉଭୟ ଦେଶ ମଧ୍ୟରେ ଏକ ବୃହତ୍ ପୁଞ୍ଜିନିବେଶ ଢାଞ୍ଚାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

‘ଇକୋନୋମିକ୍ସ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୨ ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୨୦୧୯ ମସିହା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଭାରତ ପାଇଁ ଏକ ବଡ଼ ନିବେଶ ପ୍ୟାକେଜ୍ ଘୋଷଣା କରିବାର ଦୃଢ଼ ସମ୍ଭାବନା ରହିଛି। ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସମ୍ପ୍ରତି ବେଜିଂ ଗସ୍ତ ସମୟରେ ହିଁ ଏହି ନୂତନ ବାଣିଜ୍ୟିକ ସମ୍ପର୍କର ମୂଳଦୁଆ ପଡ଼ିଥିଲା ।

ଏହି ପ୍ରସ୍ତାବିତ ନିବେଶ ଢାଞ୍ଚା ଅଧୀନରେ ସମୁଦ୍ର ପଥକୁ ସହଜ ପ୍ରବେଶ ଥିବା ଏକ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ବିୱାଇଡି ଭଳି ଚୀନର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଭାରତୀୟ ବଜାରରେ ବ୍ୟବସାୟ କରିବାକୁ ଅଧିକ ସୁଯୋଗ ମିଳିପାରେ। ଏହାସହ ଚୀନର ଆର୍ଥିକ ସହାୟତାରେ ଭାରତରେ ଏକ ରପ୍ତାନି ପ୍ରକ୍ରିୟାକରଣ କ୍ଷେତ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି, ଯାହାଦ୍ୱାରା ତୃତୀୟ ଦେଶଗୁଡ଼ିକୁ ସହଜରେ ସାମଗ୍ରୀ ରପ୍ତାନି କରାଯାଇପାରିବ।

ତେବେ ୬ ବର୍ଷ ଧରି ଲାଗି ରହିଥିବା ତିକ୍ତତା ପରେ ଉଭୟ ଦେଶ ସମ୍ପର୍କ ସୁଧାରିବାକୁ ପ୍ରୟାସ କରୁଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ୟାକେଜ୍ ଖୁବ୍ ବଡ଼ ହେବ ନାହିଁ ବୋଲି ଅନୁମାନ କରାଯାଉଛି ।

କେବଳ ଅଣ-ରଣନୈତିକ କ୍ଷେତ୍ରରେ ଚୀନ୍ ନିବେଶ ପ୍ରକ୍ରିୟାକୁ ଭାରତ କୋହଳ କରିବାକୁ ବିଚାର କରୁଛି। କିନ୍ତୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପ୍ରକଳ୍ପ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ କ୍ଷେତ୍ରରେ ପୂର୍ବଭଳି କଟକଣା ବଳବତ୍ତର ରହିବ।

ଅନ୍ୟପକ୍ଷରେ ଭାରତ ମଧ୍ୟ ନିଜର ଆଇଟି ଶିଳ୍ପ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲର ନିରବଚ୍ଛିନ୍ନ ଯୋଗାଣ ନେଇ ଚୀନ୍‌ଠାରୁ ପ୍ରତିଶ୍ରୁତି ଚାହୁଁଛି। ଉଭୟ ଦେଶ ମଧ୍ୟରେ ଥିବା ଟ୍ରେଡ୍ ଡେଫିସିଟ୍ କମାଇବା ଉଦ୍ଦେଶ୍ୟରେ ଭାରତରୁ ଅଧିକ ଜ୍ଞାନକୌଶଳ ସାମଗ୍ରୀ ଆମଦାନୀ କରିବାକୁ ନୂଆଦିଲ୍ଲୀ ଚୀନ୍ ଉପରେ ଚାପ ପକାଉଥିବା ଜଣାପଡିଛି।

Leave A Reply

Your email address will not be published.