କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍ AEE ଅନୁପମା ସାହୁଙ୍କ ଘରୁ ଆଉ ୪ ଲକ୍ଷ ଜବତ, ମୋଟ ନଗଦ ଜବତ ପରିମାଣ ୭.୧୫ ଲକ୍ଷରେ ପହଞ୍ଚିଲା
କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକ ବଡ଼ ଧରଣର ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି । ଠିକାଦାରଙ୍କଠାରୁ ବକେୟା ବିଲ୍ କ୍ଲିୟର କରିବା ନାଁରେ ବର୍ଷ କମିଶନ ଓ ଲାଞ୍ଚ ଆଦାୟ କରୁଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତ ସମୟରେ ତାଙ୍କ ବାସଭବନରୁ ଆଉ ୪ ଲକ୍ଷ ଟଙ୍କା ଜବତ କରାଯିବା ପରେ ମୋଟ ଜବତ ନଗଦ ରାଶି ୭ ଲକ୍ଷ ୧୫ ହଜାର ଟଙ୍କାରେ ପହଞ୍ଚିଛି ।
ସୂଚନା ଅନୁଯାୟୀ, ଅନୁପମା ସାହୁ ନିଜ କାର୍ଯ୍ୟାଳୟରୁ ସରକାରୀ ଗାଡ଼ି (ନମ୍ବର OD-29-S-6644) ଯୋଗେ ନୟନବିହାରସ୍ଥିତ ନିଜ ବାସଭବନକୁ ଫେରୁଥିଲେ । ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଭିଜିଲାନ୍ସ ଟିମ୍ ମାର୍ଶାଘାଇ ଛକ ନିକଟରେ ୫୩-ଏ ଜାତୀୟ ରାଜପଥରେ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ତାଙ୍କ ନିକଟରୁ ସନ୍ଦେହଜନକ ଭାବେ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ବିପୁଳ ପରିମାଣର ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହିତ ସରକାରୀ ଗାଡ଼ିକୁ ଜବତ କରିଥିଲେ ।
ଏହି ପ୍ରାଥମିକ ଜବତ ପରେ ଭିଜିଲାନ୍ସ ଟିମ୍ ତାଙ୍କର କେନ୍ଦ୍ରାପଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଏକକାଳୀନ ଚଢ଼ଉ ଜାରି ରଖିଥିଲା। ତଦନ୍ତ ଜାରି ରହିଥିବାବେଳେ ତାଙ୍କ ଘର ଭିତରୁ ଆଉ ୪ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । ଫଳରେ ମୋଟ ଜବତ ନଗଦ ଟଙ୍କାର ପରିମାଣ ୭,୧୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏତେ ପରିମାଣର ଟଙ୍କା ସେ କେଉଁଠୁ ଓ କିପରି ସଂଗ୍ରହ କଲେ, ସେନେଇ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ତୀବ୍ର ଜେରା କରୁଛନ୍ତି ।
ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନୁପମା ସାହୁଙ୍କ ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଆର୍ଥିକ ତଥ୍ୟଗୁଡ଼ିକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ତଦନ୍ତକୁ ଆହୁରି ବ୍ୟାପକ କରାଯାଇଛି ଏବଂ ଆଗାମୀ ଦିନରେ ଏହି ମାମଲାରେ ଆଉ କିଛି ନୂତନ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।

