Latest Odisha News

BREAKING NEWS

କୁକୁରକୁ ଦେଇଥିବା କଥା ରଖିଲେ ଆଥଲେଟ୍: ୫୧୧ କିଲୋ ଓଜନ ଟେକି ରଚିଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ମଣିଷ ନିଜର ପ୍ରତିଶ୍ରୁତି ପୂରଣ କରିବା ପାଇଁ  ନାନାଦି ଉଦ୍ୟମ କରିଥାନ୍ତି । କିନ୍ତୁ ନିଜର ମୃତ ପାଳିତ କୁକୁରକୁ ଦେଇଥିବା କଥା ରଖିବା ପାଇଁ ଜଣେ ଯୁବକ ବିଶ୍ୱ ରେକର୍ଡ ଭାଙ୍ଗିବା ଘଟଣା ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମେକ୍ସିକୋର ୨୬ ବର୍ଷୀୟ ଆଥଲେଟ୍ ରାଉଲ୍ ଫ୍ଲୋରେସ୍  ୫୧୧ କିଲୋଗ୍ରାମ ଓଜନ ଉଠାଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମଣିଷ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ସେପ୍ଟେମ୍ବର ୫ ତାରିଖରେ ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜିତ ୱାର୍ଲ୍ଡ ଡେଡଲିଫ୍ଟ ଚାମ୍ପିଅନ୍‌ସିପ୍ ୨୦୨୬ରେ ରାଉଲ୍ ୫୧୧ କିଲୋ ଓଜନ ଟେକି ଏହି ନୂତନ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ରାଉଲ୍ ଫ୍ଲୋରେସ୍‌ଙ୍କ ଡାକନାମ ହେଉଛି ଟାୟଜନ । ଏହି ନାମଟି ସେ ନିଜର ପ୍ରିୟ ପାଳିତ କୁକୁର ଟାୟଜନ ନାମ ଅନୁସାରେ ରଖିଥିଲେ, ଯିଏ କି ଏବେ ଆଉ ଏହି ଦୁନିଆରେ ନାହିଁ । ରାଉଲ୍ ନିଜ କୁକୁରର ମୃତ୍ୟୁ ପୂର୍ବରୁ ତାକୁ କଥା ଦେଇଥିଲେ ଯେ, ସେ ତା’ର ନାମକୁ ସାରା ଦୁନିଆରେ ପ୍ରସିଦ୍ଧ କରାଇବେ । ଏହି ସଙ୍କଳ୍ପ ହିଁ ତାଙ୍କୁ ଦିନରାତି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା ।

ପାୱାରଲିଫ୍ଟିଂରୁ କ୍ୟାରିୟର ଆରମ୍ଭ କରିଥିବା ରାଉଲ୍, ୨୦୨୧ରୁ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗିତା ଆଡ଼କୁ ମୁହାଁଇଥିଲେ । ୨୦୨୫ ୱାର୍ଲ୍ଡ ଡେଡଲିଫ୍ଟ ଚାମ୍ପିଅନ୍‌ସିପ୍‌ରେ ସେ ୪୫୩.୫ କିଲୋଗ୍ରାମ ଓଜନ ଉଠାଇ ଚତୁର୍ଥ ସ୍ଥାନରେ ରହିଥିଲେ । କିନ୍ତୁ ମାତ୍ର ବର୍ଷକ ମଧ୍ୟରେ ସେ ନିଜର ଦକ୍ଷତା ବୃଦ୍ଧି କରି ସମସ୍ତଙ୍କୁ ଆଶ୍ଚର‌୍ୟ୍ୟଚକିତ କରିଦେଇଛନ୍ତି । ଷ୍ଟ୍ରଙ୍ଗମ୍ୟାନ୍ ଇତିହାସରେ ଏପର‌୍ୟ୍ୟନ୍ତ ମାତ୍ର ୩ ଜଣ ଆଥଲେଟ୍ ୫୦୦ କିଲୋଗ୍ରାମ କିମ୍ବା ତା’ଠାରୁ ଅଧିକ ଓଜନ ଉଠାଇବାରେ ସଫଳ ହୋଇଛନ୍ତି । ଏଡି ହଲ୍ ୨୦୧୬ରେ ପ୍ରଥମ କରି ୫୦୦ କିଲୋଗ୍ରାମ ଓଜନ ଉଠାଇ ରେକର୍ଡ ରଚିଥିଲେ । ହାଫଥୋର୍ ବ୍ୟୋର୍ନସନ୍ ୨୦୨୫ରେ ୫୧୦ କିଲୋଗ୍ରାମ ରାଉଲ୍ ଫ୍ଲୋରେସ୍ ୫୧୧ କିଲୋଗ୍ରାମ ଓଜନ ଉଠାଇ ପୂର୍ବର ସବୁ ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.