Putin in Delhi: ଭାରତରେ ଭ୍ଲାଦିମିର ପୁଟିନ, ମୋଦିଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁଖୋଇରୁ କ୍ରୁଡ୍ ଅଏଲ ପର୍ଯ୍ୟନ୍ତ ହୋଇପାରେ ବଡ ଡିଲ୍!
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ତାଙ୍କ ବିମାନ ଦିଲ୍ଲୀର ପାଲମ୍ ଏୟାରଫୋର୍ସ ଷ୍ଟେସନରେ ଅବତରଣ କରିଥିଲା। ବିମାନବନ୍ଦରରେ ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ପୁଟିନଙ୍କୁ ସ୍ୱାଗତ କରିଥିଲେ।
ପୁଟିନଙ୍କ ଏହି ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବ। ଏହି ଆଲୋଚନାରେ ଭାରତ-ରୁଷିଆ ରଣନୈତିକ, ପ୍ରତିରକ୍ଷା ଓ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।
ମୋଦି-ପୁଟିନ ବୈଠକରେ ମୁଖ୍ୟତଃ ତିନିଟି ବଡ଼ ପ୍ରସଙ୍ଗ ଉପରେ ନଜର ରହିବ। ପ୍ରଥମ ପ୍ରସଙ୍ଗ ହେଉଛି ପ୍ରତିରକ୍ଷା। ଭାରତ ଓ ରୁଷିଆ ମଧ୍ୟରେ ଡିଫେନ୍ସ କୋଅପରେସନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ବିଶେଷକରି ରୁଷିଆର ସୁଖୋଇ-୫୭ ଫାଇଟର ଜେଟ୍ ନେଇ ଡିଲ୍ ଉପରେ ଚର୍ଚ୍ଚା ହେବାର ଆଶା ରହିଛି। ପଞ୍ଚମ ପିଢ଼ିର ପ୍ରାୟ ୭୫ଟି ଫାଇଟର ଜେଟ୍ ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇପାରେ। ଏହା ସହିତ S-400 ମିସାଇଲ୍ ଡିଫେନ୍ସ ସିଷ୍ଟମର ଡେଲିଭରି ଏବଂ ନ୍ୟୁକ୍ଲିୟର ସବମେରିନ୍ ସହଯୋଗର ସମୀକ୍ଷା ହେବାର ସମ୍ଭାବନା ରହିଛି।
ଦ୍ୱିତୀୟ ପ୍ରସଙ୍ଗ ହେଉଛି କ୍ରୁଡ୍ ଅଏଲ୍। ଭାରତ ନିଜ ଆବଶ୍ୟକତା ଅନୁଯାୟୀ କେଉଁ ଦେଶରୁ କେତେ ତେଲ କିଣିବ, ସେନେଇ ନିଜେ ନିଷ୍ପତ୍ତି ନେବ ବୋଲି ସ୍ପଷ୍ଟ କରିଆସିଛି। ବିଶେଷକରି ହର୍ମୁଜ୍ ଷ୍ଟ୍ରେଟ୍ରେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଭାରତ ନିଜର କ୍ରୁଡ୍ ଅଏଲ୍ ଯୋଗାଣକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଇପାରେ। ରୁଷିଆ ସହ ଦୀର୍ଘମିଆଦୀ ତେଲ ଯୋଗାଣ ଚୁକ୍ତି ନେଇ ମଧ୍ୟ ଆଲୋଚନା ହୋଇପାରେ।
ତୃତୀୟ ପ୍ରସଙ୍ଗ ହେଉଛି ଲୋକାଲ୍ କରେନ୍ସିରେ କାରବାର। ଡଲାର ଉପରେ ନିର୍ଭରଶୀଳତା କମାଇ ଭାରତୀୟ ଟଙ୍କା ଏବଂ ରୁଷିଆର ରୁବଲ୍ରେ ଦ୍ୱିପାକ୍ଷିକ ପେମେଣ୍ଟ ବଢ଼ାଇବା ନେଇ ଉଭୟ ଦେଶ ଆଲୋଚନା କରିପାରନ୍ତି। ଏହା ଅନ୍ତର୍ଜାତୀୟ ବାଣିଜ୍ୟରେ ଡଲାର ନିର୍ଭରତା କମାଇବା ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ୍ ସୋସିଆଲ୍ ମିଡିଆରେ ପୁଟିନଙ୍କ ଭାରତ ଆଗମନ ନେଇ ସୂଚନା ଦେଇଛନ୍ତି। ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ବିମାନବନ୍ଦରରେ ରୁଷିଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଭାରତ ଓ ରୁଷିଆ ମଧ୍ୟରେ ଦୀର୍ଘଦିନର ଏବଂ ବହୁମୁଖୀ ସମ୍ପର୍କ ରହିଛି। ଉଭୟ ଦେଶର ଏହି ‘ସ୍ପେଶାଲ୍ ଆଣ୍ଡ ପ୍ରିଭିଲେଜ୍ଡ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’କୁ ଆହୁରି ମଜବୁତ କରିବା ଦିଗରେ ପୁଟିନଙ୍କ ଗସ୍ତକୁ ଗୁରୁତ୍ୱ ଦିଆଯାଉଛି।
କ୍ରେମଲିନ୍ ପକ୍ଷରୁ ଜାରି ସୂଚନା ଅନୁସାରେ, ଶୁକ୍ରବାର ପୁଟିନ ବାର୍ଷିକ BRICS ବିଜନେସ୍ ଫୋରମର ପ୍ଲେନାରୀ ସେସନ୍କୁ ସମ୍ବୋଧିତ କରିବେ। ସାଧାରଣତଃ ବ୍ରିକ୍ସ ନେତାମାନଙ୍କ ଶିଖର ସମ୍ମିଳନୀ ପୂର୍ବରୁ ଏହି ବ୍ୟବସାୟିକ ମଞ୍ଚ ଆୟୋଜିତ ହୋଇଥାଏ। ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ବ୍ୟବସାୟିକ ପ୍ରତିନିଧିମାନେ ଯୋଗ ଦିଅନ୍ତି। ଏହା ପରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଉଭୟ ନେତା ମିଳିତ ଭାବେ INNOPROM ପ୍ରଦର୍ଶନୀ ପରିଦର୍ଶନ କରିବେ। ରୁଷିଆ ଓ ଭାରତର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି।
ଭାରତର ଅଧ୍ୟକ୍ଷତାରେ ଚାଲିଥିବା ବ୍ରିକ୍ସ କାର୍ଯ୍ୟକ୍ରମରେ ବାଣିଜ୍ୟ, ଡିଜିଟାଲ୍ ଟେକ୍ନୋଲୋଜି, ଆର୍ଥିକ ବ୍ୟବସ୍ଥା, ଏନର୍ଜି ସିକ୍ୟୁରିଟି ଏବଂ ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ସେପ୍ଟେମ୍ବରର ବ୍ରିକ୍ସ ସମ୍ମିଳନୀରେ ମଜବୁତ ଗ୍ଲୋବାଲ୍ ସପ୍ଲାଏ ଚେନ୍, ସୀମାପାର ପେମେଣ୍ଟ ବ୍ୟବସ୍ଥାର ଏକୀକରଣ, ଜାତୀୟ ମୁଦ୍ରାର ଅଧିକ ବ୍ୟବହାର, MSME ବିକାଶ, ଡିଜିଟାଲ୍ ବାଣିଜ୍ୟ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ବିଷୟ ମଧ୍ୟ ଆଲୋଚନାରେ ରହିବା ଆଶା କରାଯାଉଛି।
ପୁଟିନଙ୍କ ଦିଲ୍ଲୀ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଚାଣକ୍ୟପୁରୀର ଯେଉଁ ହୋଟେଲରେ ସେ ରହିବେ, ସେଠାରେ ଏକାଧିକ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ପୋଲିସର ଜଣେ DCP ଏବଂ ଦୁଇଜଣ ACPଙ୍କୁ ୨୪ ଘଣ୍ଟା ପାଇଁ ମୁତୟନ କରାଯାଇଛି।
ମୋଦି ଓ ପୁଟିନଙ୍କ ଏହି ସାକ୍ଷାତ ଭାରତ-ରୁଷିଆ ସମ୍ପର୍କ ପାଇଁ ଏକ ନୂଆ ଅଧ୍ୟାୟ ଆଣିପାରେ। ପ୍ରତିରକ୍ଷା ଠାରୁ ଆରମ୍ଭ କରି ତେଲ, ବାଣିଜ୍ୟ ଓ ଲୋକାଲ୍ କରେନ୍ସିରେ କାରବାର ପର୍ଯ୍ୟନ୍ତ ଏକାଧିକ ବଡ଼ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ଆଲୋଚନା ହେବାକୁ ଯାଉଛି। ବିଶେଷ କଥା ହେଉଛି, ଏହି ବ୍ରିକ୍ସ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତିଙ୍କ ଉପସ୍ଥିତି ମଧ୍ୟ ରହିବ। ତେଣୁ ମୋଦି-ପୁଟିନ ସାକ୍ଷାତ ଉପରେ ବିଶ୍ୱର ନଜର ରହିଛି। ବ୍ରିକ୍ସ ସମ୍ମିଳନୀରୁ ଆସିବାକୁ ଥିବା ଦିଲ୍ଲୀ ଡିକ୍ଲାରେସନ୍ ମଧ୍ୟ ଅନ୍ତର୍ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ୱ ବହନ କରିପାରେ।

