Latest Odisha News

BREAKING NEWS

ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ପାଇଁ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି। ବଜ୍ରପାତ ଓ ଝଡବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଭଳି ୧୪ଟି ଜିଲ୍ଲା ପାଇଁ ମଧ୍ୟ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି। ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ୧୩ଟି ଜିଲ୍ଲାରେ ଝଡ଼ ତୋଫାନ ଓ ବଜ୍ରପାତ ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି।

ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ଏହି ଅଞ୍ଚଳଗୁଡ଼ିକରେ ଭଲ ବର୍ଷା ହେବାର ସତର୍କତା ଜାରି କରିଛି। ଯାହା ଫଳରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଏବଂ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ବଙ୍ଗୋପସାଗରର କିଛି ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ପାଣିପାଗ ବିଭାଗ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ କାର୍ଯ୍ୟରତ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ଜାରି କରିଛି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପାଣିପାଗ ସତର୍କତା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.