Latest Odisha News

BREAKING NEWS

Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲାର ଚେର ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଭାବେ ବିବେଚିତ ହେଉଥିବା ପଶ୍ଚିମବଙ୍ଗ ଦୀଘାର ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କ ଫଟୋ ଏବେ ତଦନ୍ତକାରୀ ସଂସ୍ଥାର ହସ୍ତଗତ ହୋଇଛି । ସେମାନଙ୍କୁ ଧରିବା ପାଇଁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ହାଉଡ଼ା ସମେତ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ହୋଟେଲ ମାଲିକଙ୍କ ନାମ ହେଉଛି ଜୟନ୍ତ ମାଈତି । ତାଙ୍କର ପ୍ରକୃତ ଘର ପଶ୍ଚିମବଙ୍ଗ ହାଉଡ଼ା ଜିଲ୍ଲାର ଆନ୍ଦୋଳ ଅଞ୍ଚଳରେ ହୋଇଥିବା ବେଳେ, ସେ ଦୀଘାଠାରେ ‘ଗ୍ରାଣ୍ଡ ହେରିଟେଜ୍’ ନାମକ ଏକ ବିଳାସପୂର୍ଣ୍ଣ ହୋଟେଲ ଚଳାଉଥିଲେ। ଓରାଙ୍ଗଉଟାନ ଉଦ୍ଧାର ଘଟଣା ପରେ ଚୋରାଚାଲାଣର ଲିଙ୍କ୍ ଖୋଜି ଖୋଜି ଏସଟିଏଫ୍ ଟିମ୍ ଦୀଘାସ୍ଥିତ ଉକ୍ତ ହୋଟେଲ ଉପରେ ଚଢ଼ାଉ କରିବାକୁ ଯୋଜନା କରିଥିଲା । ତେବେ ପୋଲିସର ଏହି ଚଢ଼ାଉ ଖବର କୌଣସି ସୂତ୍ରରୁ ପାଇବା ପରେ ଗତ ୧୦ ତାରିଖ ରାତିରୁ ହିଁ ଉଭୟ ବାପା ଓ ପୁଅ ହୋଟେଲ ଛାଡ଼ି ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ଏସଟିଏଫ୍ ଟିମ୍ ହାଡା ସ୍ଥିତ ଜୟନ୍ତଙ୍କ ବାସଭବନରେ ପହଞ୍ଚି ଖୋଳତାଡ଼ ଅଭିଯାନ ଜାରି ରଖିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ, ବାପା-ପୁଅଙ୍କର ଏଭଳି ରାତାରାତି ଫେରାର ହୋଇଯିବା ଘଟଣା ସେମାନଙ୍କ ଉପରେ ଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଯଦି ଏହି ବିରଳ ବନ୍ୟପ୍ରାଣୀ ଚାଲାଣରେ ସେମାନଙ୍କର କୌଣସି ସମ୍ପୃକ୍ତି ନଥିଲା, ତେବେ ଏସଟିଏଫ୍ ଚଢ଼ାଉ ଖବର ପାଇ ସେମାନେ ଲୁଚିଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପୋଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଏହି ବାପା-ପୁଅଙ୍କର କୌଣସି ବଡ଼ ଅନ୍ତର୍ଜାତୀୟ ବନ୍ୟଜୀବ ତସ୍କରୀ ରାକେଟ୍ ସହିତ ସିଧାସଳଖ ସମ୍ପର୍କ ଥାଇପାରେ । ସମ୍ଭବତଃ ଦୀଘାରେ ଥିବା ତାଙ୍କର ହୋଟେଲକୁ ଏହି ବେଆଇନ କାରବାର ପାଇଁ ଏକ ସୁରକ୍ଷିତ ଟ୍ରାଞ୍ଜିଟ୍ ପଏଣ୍ଟ ଭାବେ ବ୍ୟବହାର କରାଯାଉଥିଲା ।

ଏବେ ସମସ୍ତଙ୍କ ନଜର ଏସଟିଏଫ୍ ଉପରେ ରହିଛି । ଯେତେ ଶୀଘ୍ର ଫେରାର ବାପା ଓ ପୁଅ ପୋଲିସ ହାତରେ ଧରାପଡ଼ିବେ, ସେତେ ଶୀଘ୍ର ଏହି ବିରଳ ବନ୍ୟପ୍ରାଣୀ ଚାଲାଣର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହୋଇପାରିବ । ଓରାଙ୍ଗଉଟାନଗୁଡ଼ିକୁ କେଉଁ ଦେଶରୁ ଅଣାଯାଇଥିଲା, ସେମାନଙ୍କର ଅନ୍ତିମ ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହି ନେଟୱର୍କରେ ଆଉ କେଉଁ ବଡ଼ ମାଫିଆ ସାମିଲ ଅଛନ୍ତି, ତାହା ଅଭିଯୁକ୍ତଙ୍କ ଗିରଫଦାରୀ ପରେ ହିଁ ସ୍ପଷ୍ଟ ହେବ ।

 

 

Leave A Reply

Your email address will not be published.