ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଏନେଇ ଆୟୋଜିତ ହେବ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ସକାଳେ କିମ୍ବା ସନ୍ଧ୍ୟାରେ ଦୀପ ପ୍ରଜ୍ଜ୍ୱଳିତ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀ ଶୁଭେଚ୍ଛା ବାର୍ତ୍ତା ଦେଇପାରିବେ। ଏକରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଅପଲୋଡ୍ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଘରେ “ଆଶୀର୍ବାଦ ଦୀପ” ଜାଳିବାକୁ ଏବଂ ତାଙ୍କ ଦୀର୍ଘ ଜୀବନ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବିଜେପି ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପାଳନ ପାଇଁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ଘୋଷଣା କରିଛି। ଯେଉଁଥିରେ ଜନ ଅଂଶଗ୍ରହଣ, କଲ୍ୟାଣକାରୀ କାର୍ଯ୍ୟକଳାପ ଏବଂ ଯୁବ ଯୋଗଦାନ ଉପରେ କେନ୍ଦ୍ରିତ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି।
ଏକ ଭିଡିଓ ବାର୍ତ୍ତାରେ, ନବୀନ କହିଛନ୍ତି ଯେ “ଜନସେବା ହେଉଛି ଜାତୀୟ ସେବା” ମୋଦିଙ୍କ ଜୀବନର ମାର୍ଗଦର୍ଶୀ ନୀତି ହୋଇଛି,ଏବଂ ତାଙ୍କ ନେତୃତ୍ୱରେ ଭାରତ ଏକ “ବିକଶିତ ଭାରତ” ର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସନ୍ଧ୍ୟା ୬ ଟାରୁ ୭ ଟା ମଧ୍ୟରେ ‘ଆଶୀର୍ବାଦ ଦୀପ’ ଜାଳିବାକୁ ସେ ଲୋକମାନଙ୍କୁ ଆହ୍ୱାନ କରିଛନ୍ତି। ସେ କହିଥିଲେ, “ମୁଁ ଆଶୀର୍ବାଦର ଦୀପ ଜାଳିବି, ଏବଂ ମୁଁ ମୋର ସାଥୀ ଭାରତୀୟମାନଙ୍କୁ ନିବେଦନ କରୁଛି: ଆସ, ଦୟାକରି ଆଶୀର୍ବାଦର ଦୀପ ଜାଳି ଆମ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ ଏବଂ ନିରନ୍ତର ସଫଳତା ପାଇଁ ପ୍ରାର୍ଥନା କର।”

