ସମ୍ବଲପୁର: ପାଣିପାଗ ଆକଳନରେ ଆହୁରି ସଶକ୍ତ ହେଲା ଓଡି଼ଶା। ଆଜି ସମ୍ବଲପୁରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଯୋଗୀପାଲି ଯାଇ ଡପଲର ରାଡାର ସିଷ୍ଟମର ଉଦ୍ଘାଟନ କରିଛନ୍ତି। ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର, ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ପ୍ରଦାନ କରିବ । ଏହି ରାଡାରର କ୍ଷମତା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ରହିବ ।
ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲା ଉପକୃତ ହେବେ । ଜମାଦାରପାଲିଠାରେ ଏକ ୫ ମହଲା ବିଶିଷ୍ଟ କୋଠା ଏବଂ ଏହାର ଉପରେ ଏକ ସ୍ୱତନ୍ତ୍ର ରାଡାର ବା ଡୋମ ପ୍ରସ୍ତୁତ କରାଯାଇଛି । ଏହା ଏକ ଅତ୍ୟାଧୁନିକ ସି-ବ୍ୟାଣ୍ଡ ଡପଲର ରାଡାର । ଏହି ରାଡାର ସାହାଯ୍ୟରେ ବଜ୍ରପାତ, କାଳବୈଶାଖୀ, ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର ଖୁବ୍ ସଠିକ୍ ଏବଂ ଆଗୁଆ ସୂଚନା ମିଳିପାରିବ । ସେହିପରି ଏହା ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ହେବାକୁ ଥିବା ବର୍ଷାର ସଠିକ୍ ଆକଳନ କରିବାରେ ସାହାଯ୍ୟ କରିବ । ଫଳରେ ହୀରାକୁଦର ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ସହଜ ହେବ ।

