ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ସଂସଦ ଭାରତ ସହିତ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିପତ୍ର ବା FTA କୁ ଅନୁମୋଦନ କରିଛି। ଏହି ବିଲ୍ ସଂସଦରେ ୯୩-୨୯ ଭୋଟ୍ରେ ଗୃହୀତ ହୋଇଛି। ଏହି ନୂତନ ନିୟମ ଅନୁସାରେ, ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି ହେଉଥିବା ଅଧିକାଂଶ ସାମଗ୍ରୀ ୧୦୦% ଶୁଳ୍କମୁକ୍ତ ବା ଟ୍ୟାରିଫ୍-ଫ୍ରୀ ହେବ । ଏହାସହିତ ନ୍ୟୁଜିଲ୍ୟାଣ୍ଡରୁ ଭାରତକୁ ଆସୁଥିବା ପ୍ରାୟ ୯୫ ପ୍ରତିଶତ ରପ୍ତାନି ଉପରୁ ମଧ୍ୟ ଶୁଳ୍କ ହ୍ରାସ କିମ୍ବା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ରପ୍ତାନିକାରୀଙ୍କୁ ତୁରନ୍ତ ଲାଭ ପହଞ୍ଚାଇବା ପାଇଁ ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ।
ଭାରତ ପାଇଁ କଣ ରହିବ ଅତିରିକ୍ତ ଲାଭ?
ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି ହେଉଥିବା ଭାରତର ଅଧିକାଂଶ ଉତ୍ପାଦ ଶୁଳ୍କମୁକ୍ତ ହେବ, ଯାହା ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ବଡ଼ ପ୍ରୋତ୍ସାହନ ଦେବ।
୨୦ ବିଲିୟନ୍ ଡଲାରର ନିବେଶ – ଚୁକ୍ତି ଅଧୀନରେ ନ୍ୟୁଜିଲ୍ୟାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ବିଲିୟନ୍ ଡଲାର ବା ପ୍ରାୟ ୧.୬୬ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି।ଭାରତୀୟ ଛାତ୍ରମାନଙ୍କୁ ପାଠପଢ଼ା ପରେ କାର୍ଯ୍ୟ କରିବା ପାଇଁ ପୋଷ୍ଟ-ଷ୍ଟଡି ୱାର୍କ ଭିସା* ଏବଂ ପ୍ରାୟ ୫,୦୦୦ ଦକ୍ଷ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ନିଯୁକ୍ତି ଭିସାର ସୁବିଧା ମିଳିବ। ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକୁ କାଠ, ମେଟାଲ୍ ସ୍କ୍ରାପ୍ ଓ କୋକ୍ ଭଳି କଞ୍ଚାମାଲ ବିନା ଶୁଳ୍କରେ ମିଳିବ, ଯାହା ନିର୍ମାଣ ଖର୍ଚ୍ଚ କମାଇବାରେ ସାହାଯ୍ୟ କରିବ।
ଟ୍ୟାରିଫ୍ ମୁକ୍ତ ହେବାକୁ ଥିବା ଭାରତୀୟ ସାମଗ୍ରୀ:
ନ୍ୟୁଜିଲ୍ୟାଣ୍ଡ ବଜାରରେ ଭାରତର ଶୁଳ୍କମୁକ୍ତ ପ୍ରବେଶ ପାଇବ ଏଥିରେ ମୁଖ୍ୟତଃ: ଲୁଗାପଟା ଓ ଗାର୍ମେଣ୍ଟସ , ଆଇଟି ଓ ସଫ୍ଟୱେୟାର , ଚମଡ଼ା ଉତ୍ପାଦ, ଜୋତା , ଫାର୍ମାସ୍ୟୁଟିକାଲ୍ସ ଓ ଔଷଧ , ଯନ୍ତ୍ରପାତି, ଇଞ୍ଜିନିୟରିଂ ସାମଗ୍ରୀ ଓ ରସାୟନ ଏବଂ ଜୈବିକ କୃଷି ଉତ୍ପାଦ । ଏହାସହ ଭାରତକୁ ମିଳିବ ୨୦ ବିଲିୟନ୍ ଡଲାରର ନିବେଶ। ଭାରତୀୟ ଛାତ୍ର ଙ୍କ ପାଇଁ ସହଜ ହେବ ଭିସା ପ୍ରକ୍ରିୟା। ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ ବ୍ୟବସାୟର ନୂଆ ଅଧ୍ୟାୟ।

