Latest Odisha News

BREAKING NEWS

ୟୁପିଆଇ ନେଣଦେଣ ବିବାଦ ଉପରେ ନବୀନଙ୍କ ବଡ଼ ବୟାନ: ‘ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ହେବା ଜରୁରୀ’

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ୟୁପିଆଇ କାରବାର ଉପରେ ଏମ୍‌ଡିଆର୍ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ପ୍ରସଙ୍ଗ ଏବେ ସାରା ଦେଶରେ ବିତର୍କର ରୂପ ନେଇଛି । ଏହି ନିଷ୍ପତ୍ତିକୁ ନେଇ ସାଧାରଣ ଗ୍ରାହକ ଏବଂ ଦୋକାନୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ରାଜ୍ୟର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହା ଉପରେ ନିଜର ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି । ଶୁକ୍ରବାର ଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ନବୀନ କହିଛନ୍ତି ଯେ, ନୂଆ ୟୁପିଆଇ ଦେୟ ବ୍ୟବସ୍ଥା ଯେପରି ସାଧାରଣ ଲୋକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବୋଝ ନ ପାଲଟେ, ସେଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ସେମାନଙ୍କ ସ୍ୱାର୍ଥ ଯେପରି ସର୍ବଦା ସୁରକ୍ଷିତ ରହିବ, ତାହା ନିଶ୍ଚିତ କରାଯିବା ଦରକାର ।

ଦଶ ଦିନିଆ ଦିଲ୍ଲୀ ଗସ୍ତ ସାରି ଶୁକ୍ରବାର ଦିନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ଅନନ୍ତ ନାରାୟଣ ଜେନା ଏବଂ ସୁଲୋଚନା ଦାସଙ୍କ ସମେତ ବହୁ ସମର୍ଥକ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ୟୁପିଆଇ ଚାର୍ଜକୁ ନେଇ ଦେଶବ୍ୟାପୀ ଚାଲିଥିବା ବିବାଦ ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନବୀନ ଅତି ସଂକ୍ଷେପରେ କିନ୍ତୁ ଦୃଢ଼ତାର ସହ କହିଥିଲେ, “ସାଧାରଣ ଲୋକ ଏବଂ ଛୋଟ ବ୍ୟବସାୟୀମାନଙ୍କ ଆର୍ଥିକ ସ୍ୱାର୍ଥ ନିଶ୍ଚିତ ଭାବେ ରକ୍ଷା ହେବା ଉଚିତ ।”

ସୂଚନାଯୋଗ୍ୟ, ନିକଟରେ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ବ୍ୟବସାୟିକ କାରବାର ଉପରେ ୦.୪ ପ୍ରତିଶତ ଏମ୍‌ଡିଆର୍ ଆଦାୟ କରିବା ନେଇ ଘୋଷଣା କରାଯାଇଛି । ଏହି ନୂଆ ନିୟମ ସାମ୍ନାକୁ ଆସିବା ପରେ ବିଭିନ୍ନ ବ୍ୟାପାରୀ ସଂଘ, ଉଠାଦୋକାନୀ ଏବଂ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି । କଂଗ୍ରେସ ଏହି ଦେୟକୁ ଐତିହାସିକ ‘ଜିଜିଆ ଟିକସ’ ସହିତ ତୁଳନା କରିଥିବା ବେଳେ ରାଜ୍ୟର ପେଟ୍ରୋଲ୍ ପମ୍ପ ମାଲିକ ସଂଘ ଓ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜିକାଲି ଛୋଟ ଛୋଟ ଦେଣନେଣ ପାଇଁ ଲୋକେ ଡିଜିଟାଲ୍ ପେମେଣ୍ଟ୍ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏଭଳି ଚାର୍ଜ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ ବୋଲି ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ବିଜେପି ନେତାମାନେ ଏହି ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟକ୍ତିଗତ କାରବାର ଏବଂ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟିକ କାରବାର ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ। ରାସ୍ତାକଡ଼ର ଉଠାଦୋକାନୀ ବା କ୍ଷୁଦ୍ର ବ୍ୟବସାୟୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ଏବଂ ମୋଟ ୟୁପିଆଇ କାରବାରର ପ୍ରାୟ ୯୬ ପ୍ରତିଶତ ଦେଣନେଣ ବିନା ମୂଲ୍ୟରେ ହୋଇପାରିବ। କେବଳ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷେତ୍ରରେ ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କାରବାର ପାଇଁ ଏହି ଚାର୍ଜ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.