ପାକିସ୍ତାନ: ପାକିସ୍ତାନର ଅଶାନ୍ତ ବଲୋଚିସ୍ତାନ ପ୍ରଦେଶରେ ବିଦ୍ରୋହୀ ସଂଗଠନ ବଲୋଚ ଲିବରେସନ ଆର୍ମି ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି। ପ୍ରାପ୍ତ ବିଶେଷ ଖବର ଅନୁଯାୟୀ, ବିଏଲ୍ଏ ର ସଶସ୍ତ୍ର ବନ୍ଧୁକଧାରୀମାନେ ବଲୋଚିସ୍ତାନର କେଚ୍ ଜିଲ୍ଲା ଅନ୍ତର୍ଗତ ମାନ୍ଦ ଅଞ୍ଚଳର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ବହାଦୁରିଆ ସେନା ମୁଖ୍ୟ ଅସୀମ ମୁନିରଙ୍କ ଧମକକୁ ବାଲୁଚ ଆର୍ମି ର ଜମା ବି ଖାତିର ନାହିଁ, ନିଜ ଘର କୁ ସମ୍ଭାଳି ପାରୁନଥିବା ମୁନିର୍ ଆମେରିକା ଇରାନ ଯୁଦ୍ଧରେ ମଧ୍ୟସ୍ଥି ପାଇଁ ବେଶ୍ ଆଗଭର ଥିଲେ ।ବିଦ୍ରୋହୀମାନେ ସହରର ପ୍ରମୁଖ ରାଜପଥ ଓ ସଂଯୋଗୀକରଣ ରାସ୍ତାଗୁଡ଼ିକରେ ବ୍ୟାପକ ରାସ୍ତା ଅବରୋଧ କରିଛନ୍ତି। ବିଏଲ୍ଏ କ୍ୟାଡରମାନେ ଅସ୍ତ୍ରଶସ୍ତ୍ର ସହ ସଡ଼କପଥରେ ସଶସ୍ତ୍ର ଯାଞ୍ଚ ଆରମ୍ଭ କରିବା ସହ ସରକାରୀ ଗାଡ଼ି ଓ ସୁରକ୍ଷା ବାହିନୀର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ଏହି କାରଣରୁ ମାନ୍ଦ ଏବଂ ଏହାର ଆଖପାଖ ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ସ୍ଥାନୀୟ ପ୍ରଶାସନ ଓ ପାକିସ୍ତାନୀ ସୁରକ୍ଷା ବାହିନୀ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଦ୍ରୋହୀମାନେ ପୋଲିସ ଷ୍ଟେସନ ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଘେରାଉ କରି ରଖିଥିବା ନେଇ ସୂଚନା ମିଳୁଛି। ଏହି ଅଚାନକ ଆକ୍ରମଣ ଓ ନିୟନ୍ତ୍ରଣ ପରେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି।
ବଲୋଚିସ୍ତାନରେ ବିଏଲ୍ଏ କ୍ରମାଗତ ଭାବେ ପାକିସ୍ତାନୀ ସେନା ଏବଂ ସରକାରୀ ଭିତ୍ତିଭୂମିକୁ ନିଶାନା କରିଆସୁଛି। ମାନ୍ଦ ଅଞ୍ଚଳରେ ବିଏଲ୍ଏର ଏହି ପ୍ରତ୍ୟକ୍ଷ କବଜା ପାକିସ୍ତାନ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାର ବଡ଼ ବିଫଳତାକୁ ପଦାରେ ପକାଇଛି। ବର୍ତ୍ତମାନ ପାକିସ୍ତାନୀ ସେନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅତିରିକ୍ତ ସେନା ପଠାଇ ଥିବା ସୂଚନା ମିଳିଛି

