ମସ୍କୋ : ଋଷର ସଂସଦୀୟ ନିର୍ବାଚନର ଶେଷ ଦିନରେ ରାଜଧାନୀ ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ରୁଷିଆର ଦାବି ଅନୁଯାୟୀ, ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଏହି ବଡ଼ ଆକ୍ରମଣରେ ଅତିକମରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୁଖ୍ୟ ତୈଳ ବିଶୋଧନାଗାର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ଙ୍କ ସୂଚନା ଅନୁସାରେ, ରୁଷିଆ ସେନା ପ୍ରାୟ ୧,୬୦୦ରୁ ଅଧିକ ଡ୍ରୋନ୍କୁ ଚିହ୍ନଟ କରି ନଷ୍ଟ କରିଛି, ଯେଉଁଥିରୁ ୪୫୦ଟି ଡ୍ରୋନ୍ ସିଧାସଳଖ ମସ୍କୋକୁ ଲକ୍ଷ୍ୟ କରି ଆସୁଥିଲା। ନିର୍ବାଚନକୁ ପଣ୍ଡ କରିବା ପାଇଁ ୟୁକ୍ରେନ୍ ଏପରି ଯୋଜନାବଦ୍ଧ ଆକ୍ରମଣ କରିଥିବା ଋଷିଆ ଅଭିଯୋଗ କରିଛି।
ଡ୍ରୋନ୍ ମାଡ଼ ଯୋଗୁଁ ମସ୍କୋ ସ୍ଥିତ କାପୋତନ୍ୟା ତୈଳ ବିଶୋଧନାଗାରରେ ନିଆଁ ଲାଗିଯାଇଛି, ଯାହା ମସ୍କୋର ୪୦ ପ୍ରତିଶତ ଇନ୍ଧନ ଆବଶ୍ୟକତା ପୂରଣ କରିଥାଏ। ଏହାସହ ରାମେନ୍ସ୍କୋଏ ଅଞ୍ଚଳର ଏକ ୨୧ ମହଲା ଆବାସିକ କୋଠାରେ ଡ୍ରୋନ୍ ଖସିପଡ଼ି ନିଆଁ ଲାଗିଯିବାରୁ ପ୍ରାୟ ୪୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ଯୋଗୁଁ ୪୪ ବର୍ଷୀୟା ମହିଳା ଓ ଜଣେ ବୃଦ୍ଧଙ୍କର ପ୍ରାଣହାନି ଘଟିଛି।
ଅପରପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏହି ଆକ୍ରମଣକୁ ସ୍ୱୀକାର କରି କହିଛନ୍ତି ଯେ, ରୁଷର ଯୁଦ୍ଧ ଆର୍ଥିକ ସମ୍ବଳକୁ ଦୁର୍ବଳ କରିବା ପାଇଁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତୈଳ ଓ ଲଜିଷ୍ଟିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରାଯାଇଛି। ରୁଷିଆରେ ଚାଲିଥିବା ତିନିଦିନିଆ ସଂସଦୀୟ ନିର୍ବାଚନ ମଧ୍ୟରେ ଏହି ଆକ୍ରମଣ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

