ଭୁବନେଶ୍ୱର: ଓଡ଼ିଶା ପୋଲିସ କର୍ମଚାରୀଙ୍କ ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସେବା ପ୍ରଦାନ କରିବା ସମୟରେ କର୍ତ୍ତବ୍ୟରେ ଅବହେଳା ରୋକିବା ପାଇଁ ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିସନରେଟ୍ (Commissionerate Police) ପକ୍ଷରୁ ସୋସିଆଲ ମିଡିଆ ଓ ମୋବାଇଲ ବ୍ୟବହାର ନେଇ କଡ଼ା ମାର୍ଗଦର୍ଶିକା (Guidelines) ପ୍ରକାଶ ପାଇଛି। ଅନୁମତି ବିନା ସୋସିଆଲ ମିଡିଆରେ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୋଲିସ କମିସନରେଟ୍ ମାର୍ଗଦର୍ଶିକା ଅନୁଯାୟୀ, ଡ୍ୟୁଟିରେ ଥିବା ସମୟରେ କୌଣସି ପୋଲିସ କର୍ମଚାରୀ ନିଜର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ। ଲୋକଭବନ, ଲୋକ ସେବା ଭବନ, ହାଇକୋର୍ଟ, ଓଡ଼ିଶା ବିଧାନସଭା, ଲିଙ୍ଗରାଜ ମନ୍ଦିର, ଆର୍ମୋରି ଏବଂ ଆରବିଆଇ (RBI) ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି କରୁଥିବା ସମୟରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ସେହିପରି ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସେବାୟତ ଓ ଭକ୍ତଙ୍କ ସହିତ ସେଠାରେ ନିୟୋଜିତ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ ମୋବାଇଲ୍ ଫୋନ୍ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଉକ୍ତ ପ୍ରତିଷ୍ଠାନରେ ନିୟୋଜିତ ପୋଲିସ କର୍ମଚାରୀମାନେ ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା କୌଣସି ଇଲେକ୍ଟ୍ରୋନିକ୍ ଉପକରଣରେ ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡ କରିପାରିବେ ନାହିଁ।
ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ନିକଟ ଅତୀତରେ କେତେକ ପୋଲିସ କର୍ମଚାରୀ ନିଜର ଡ୍ୟୁଟି ମୁତୟନ ସ୍ଥାନ ଏବଂ କାର୍ଯ୍ୟସ୍ଥଳୀ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆ ଓ ଅନ୍ୟ ସାର୍ବଜନୀନ ପ୍ଲାଟଫର୍ମରେ ସେୟାର କରୁଥିବା ଦେଖାଯାଇଛି । ଏଭଳି ଭିଡିଓ ମାଧ୍ୟମରେ ଅଜାଣତରେ ଗୋପନୀୟ ସୂଚନା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସମ୍ବେଦନଶୀଳ ସ୍ଥାନ ସମ୍ପର୍କିତ ତଥ୍ୟ ସାର୍ବଜନୀନ ହୋଇପାରେ। ଏହା ସୁରକ୍ଷା ପାଇଁ ଆହ୍ବାନ ସୃଷ୍ଟି କରିବାର ଆଶଙ୍କା ଥିବାରୁ କମିସନରେଟ୍ ପୋଲିସ ଏହି ପଦକ୍ଷେପ ନେଇଛି।

