ଭୁବନେଶ୍ୱର: ରାଜ୍ୟରେ ଏବେ ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଏକଚାଟିଆ କାରବାର ଓ ମନମାନିକୁ ରୋକିବା ପାଇଁ ଏକ ନୂଆ ବିକଳ୍ପ ସାମ୍ନାକୁ ଆସିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାର ରାସ୍ତାରେ ନୂତନ ‘ଭାରତ ଟ୍ୟାକ୍ସି’ ସେବା ଆରମ୍ଭ ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ବଜାରରେ ଓଲା ଓ ଉବେର ଭଳି ଆଗଧାଡ଼ିର କମ୍ପାନୀମାନେ ଯାତ୍ରୀଙ୍କ ଠାରୁ ମୋଟା ଅଙ୍କର ଭଡ଼ା ଆଦାୟ କରୁଥିବା ବେଳେ ଡ୍ରାଇଭରମାନଙ୍କଠାରୁ ଅତ୍ୟଧିକ କମିଶନ୍ କାଟୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏହି ସମସ୍ୟାର ସମାଧାନ ସ୍ୱରୂପ ‘ଭାରତ ଟ୍ୟାକ୍ସି’ ଆପ୍ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
ଓଡ଼ିଶା ମୋଟର ଚାଳକ ସଂଘର ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରି ଘରୋଇ କମ୍ପାନୀଗୁଡ଼ିକ ଡ୍ରାଇଭରମାନଙ୍କୁ ପ୍ରତିଶ୍ରୁତି ମୁତାବକ ପ୍ରାପ୍ୟ ନଦେଇ ସେମାନଙ୍କ ଆର୍ଥିକ ଶୋଷଣ କରୁଛନ୍ତି । ଗୋଟିଏ ଟ୍ରିପ୍ ବାବଦକୁ ଏହି କମ୍ପାନୀଗୁଡ଼ିକ ୩୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ କମିଶନ୍ କାଟି ନେଉଛନ୍ତି । ଏହାଦ୍ୱାରା ନିଜର ଗାଡ଼ି ଓ ଇନ୍ଧନ ଖର୍ଚ୍ଚ ତୁଲାଇବା ପରେ ଚାଳକମାନଙ୍କ ହାତକୁ ନାମକୁ ମାତ୍ର ଅର୍ଥ ଆସୁଛି। ଅନ୍ୟପକ୍ଷରେ, ‘ସର୍ଜ୍ ପ୍ରାଇସିଂ’ ଆଳରେ ଯାତ୍ରୀମାନଙ୍କୁ ମଧ୍ୟ ଅଧିକ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି। ଏହି ଦ୍ୱୈତ ସମସ୍ୟାରୁ ଉଭୟ ଯାତ୍ରୀ ଏବଂ ଡ୍ରାଇଭରଙ୍କୁ ମୁକ୍ତି ଦେବା ପାଇଁ ଏକ ସ୍ୱଦେଶୀ ତଥା ଚାଳକ ଅନୁକୂଳ ଆପ୍ ଭାବେ ‘ଭାରତ ଟ୍ୟାକ୍ସି’କୁ ପ୍ରସ୍ତୁତ କରାଯାଇଛି ।
ଏହି ଆପ୍ର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଲା ଏହାର ସ୍ୱଚ୍ଛତା ଓ ସୁଲଭ ଦର । ଏହି ସେବା ମାଧ୍ୟମରେ ଚାଳକମାନଙ୍କୁ ଅଯଥା କମିଶନ୍ ଦେବାକୁ ପଡ଼ିବ ନାହିଁ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ଧାର୍ଯ୍ୟ ହୋଇଥିବା ନ୍ୟାଯ୍ୟ ମୂଲ୍ୟରେ ଯାତ୍ରା କରିବାର ସୁବିଧା ମିଳିବ । ଏହି ବ୍ୟବସ୍ଥାରେ ସିଧାସଳଖ ଡ୍ରାଇଭରଙ୍କ ଆକାଉଣ୍ଟକୁ ପେମେଣ୍ଟ ଯିବାର ସୁବିଧା ରହିବ, ଯାହାଦ୍ୱାରା ମଝିରେ କୌଣସି ମଧ୍ୟସ୍ଥ କମ୍ପାନୀ ଲାଭ ଉଠାଇପାରିବେ ନାହିଁ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେବା ରାଜଧାନୀ ଭୁବନେଶ୍ୱର, କଟକ ଏବଂ ପୁରୀ ଭଳି ପ୍ରମୁଖ ସହରରୁ ଆରମ୍ଭ କରାଯିବାର ଯୋଜନା ରହିଛି । ପରବର୍ତ୍ତୀ ସମୟରେ ଏହାର ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟର ଅନ୍ୟାନ୍ୟ ସହରକୁ ମଧ୍ୟ ଏହା ସମ୍ପ୍ରସାରିତ ହେବ । ଏହି ପ୍ରକଳ୍ପ ପାଇଁ ସଫ୍ଟୱେର୍ ପ୍ରସ୍ତୁତି ଏବଂ ଚାଳକମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

