Latest Odisha News

BREAKING NEWS

Xi in US: ଜିନପିଙ୍ଗଙ୍କୁ ଖୁସି କରିବାକୁ ସୀମା ଟପିଲେ ଟ୍ରମ୍ପ! ଭାଙ୍ଗିଲେ ପ୍ରୋଟୋକଲ୍; ୧୦୦ ଫୁଟ୍‌ର ରେଡ୍ କାର୍ପେଟ୍‌, ମୁଣ୍ଡ ଉପରେ ଉଡ଼ିଲା B-1 ବମ୍ବର…

ନୂଆଦିଲ୍ଲୀ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ। ୧୧ ବର୍ଷ ପରେ ଆମେରିକା ଗସ୍ତରେ ପହଞ୍ଚିଥିବା ଜିନପିଙ୍ଗଙ୍କୁ ନିଜେ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରୋଟୋକଲ୍‌ରୁ ବାହାରି  ଟ୍ରମ୍ପ ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌କୁ ଯାଇ ଜିନପିଙ୍ଗଙ୍କୁ ସ୍ୱାଗତ କରିବା ଏବେ ଚର୍ଚ୍ଚାରେ ରହିଛି । ଖାଲି ସେତିକି ନୁହେଁ, ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌ରେ ପ୍ରାୟ ୧୦୦ ଫୁଟ୍ ଲମ୍ବା ରେଡ୍ କାର୍ପେଟ୍ ବିଛାଯାଇଥିଲା।

ଜିନପିଙ୍ଗ ତାଙ୍କ ପତ୍ନୀ ପେଙ୍ଗ୍ ଲିୟୁଆନଙ୍କ ହାତ ଧରି ସ୍ବତନ୍ତ୍ର ବିମାନରୁ ଓହ୍ଲାଇବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ତାଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ସମାରୋହରେ ଆମେରିକାର ଦୁଇଟି B-1 ଲାନ୍ସର୍ ବମ୍ବର ବିମାନ ଆକାଶରେ ଉଡ଼ି ଉଭୟ ନେତାଙ୍କୁ ସମ୍ମାନ ଜଣାଇଥିଲା। ଏହା ସହ ଦୁଇ ଦେଶର ଜାତୀୟ ସଙ୍ଗୀତ ମଧ୍ୟରେ ଆମେରିକୀୟ ସେନାର ୪୭୯ ଜଣ ସୈନିକ ଗାର୍ଡ ଅଫ୍ ଅନର୍ ଦେଇଥିଲେ। ଏହା ପରେ ହାତ ବଢେଇ ଜିନପିଙ୍ଗ ଏବଂ ତାଙ୍କ ପତ୍ନୀଙ୍କୁ ବାଟ କଢାଇ ନେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ ।

ଜିନପିଙ୍ଗଙ୍କ ଏହି ଗସ୍ତକୁ ଆମେରିକା-ଚୀନ୍ ସମ୍ପର୍କ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ଆଜି ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ହେବ। ଏହି ଆଲୋଚନାରେ ପ୍ରାୟ ୫ଟି ବଡ଼ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏଥିରେ ଆମେରିକା-ଚୀନ୍ ବାଣିଜ୍ୟ, ଶୁଳ୍କ ବା ଟାରିଫ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ତାଇୱାନକୁ ନେଇ ଚାଲିଥିବା ଉତ୍ତେଜନା, ଇରାନ୍ ଯୁଦ୍ଧ ଏବଂ ରୁଷିଆଠାରୁ ତେଲ କିଣିବା ପ୍ରସଙ୍ଗ ରହିଛି।

ଜିନପିଙ୍ଗଙ୍କ ସମ୍ମାନରେ ଆଜି ହ୍ୱାଇଟ୍ ହାଉସ୍‌ର ଷ୍ଟେଟ୍ ଫ୍ଲୋର୍‌ରେ ଏକ ବିଶେଷ ସ୍ୱାଗତ ସମାରୋହ ଆୟୋଜିତ ହେବ। ଏହାପରେ ରାତିରେ ଜିନପିଙ୍ଗ ଓ ତାଙ୍କ ପତ୍ନୀ ପେଙ୍ଗ୍ ଲିୟୁଆନଙ୍କ ସମ୍ମାନରେ ହ୍ୱାଇଟ୍ ହାଉସ୍‌ରେ ରାଜକୀୟ ଭୋଜିର ଆୟୋଜନ କରାଯିବ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣରେ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗତ ୬ ମାସ ମଧ୍ୟରେ ଟ୍ରମ୍ପ ଓ ଜିନପିଙ୍ଗଙ୍କ ଏହା ଦ୍ୱିତୀୟ ସାକ୍ଷାତ। ଏହାପୂର୍ବରୁ ମେ ମାସରେ ଟ୍ରମ୍ପ ଚୀନ୍ ଗସ୍ତ କରି ବେଜିଂରେ ଜିନପିଙ୍ଗଙ୍କ ସହ ଆଲୋଚନା କରିଥିଲେ। ବିଶ୍ୱର ଦୁଇ ବଡ଼ ଅର୍ଥନୀତି ମଧ୍ୟରେ ସମ୍ପର୍କକୁ ଆହୁରି ଭଲ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଜିନପିଙ୍ଗଙ୍କ ଗସ୍ତକୁ ନେଇ ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ ମତ ରଖିଛନ୍ତି। ରୁବିଓ କହିଛନ୍ତି, ଆମେରିକା ଓ ଚୀନ୍ ବିଶ୍ୱର ଦୁଇଟି ବଡ଼ ଅର୍ଥନୀତି। ଉଭୟ ଦେଶର ଶକ୍ତିଶାଳୀ ସେନା ମଧ୍ୟ ରହିଛି। ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ କିପରି ରହିବ, ତାହା ୨୧ତମ ଶତାବ୍ଦୀର ଦିଗକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

ରୁବିଓଙ୍କ ଅନୁସାରେ, ଦୁଇ ଦେଶ ମଧ୍ୟରେ ଗଭୀର ମତଭେଦ ରହିଛି। ତଥାପି ଉଭୟ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହେବା ଜରୁରୀ। ବାଣିଜ୍ୟ, ସପ୍ଲାଇ ଚେନ୍, ଜରୁରୀ ଖଣିଜ ସମ୍ପଦ ଓ ସୁରକ୍ଷା ଭଳି ଅନେକ ପ୍ରସଙ୍ଗରେ ଆମେରିକା ଓ ଚୀନ୍ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଦୁଇ ଦେଶର ନେତାଙ୍କ ମଧ୍ୟରେ ସିଧାସଳଖ ଆଲୋଚନାକୁ ସେ ଗୁରୁତ୍ୱ ଦେଇଛନ୍ତି।

Leave A Reply

Your email address will not be published.