ଭୁବନେଶ୍ୱର: ଗଭୀର ଅବପାତ ଯୋଗୁଁ ଲାଗିରହିଛି ବର୍ଷା। ରାଜ୍ୟରେ ଯଦି ବର୍ଷା ଜାରି ରହେ ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ସ୍କୁଲ ବନ୍ଦ ଅବଧି ବୃଦ୍ଧି କରିପାରନ୍ତି।
ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାର ଜିଲ୍ଲାପାଳମାନେ ପୂର୍ବରୁ ହିଁ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରିସାରିଛନ୍ତି। ଯଦି ପାଣିପାଗରେ ସୁଧାର ନ ଆସେ ତେବେ ସ୍କୁଲ ବନ୍ଦ ଅବଧି ଆହୁରି ବୃଦ୍ଧି କରାଯାଇପାରେ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ବାରମ୍ବାର ସ୍କୁଲ ବନ୍ଦ ରହୁଥିବାରୁ ଶିକ୍ଷା କ୍ୟାଲେଣ୍ଡର ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି। ତଥାପି ଏହି ଶିକ୍ଷାଗତ କ୍ଷତି ଭରଣା କରିବା ପାଇଁ ଆବଶ୍ୟକ ହେଲେ ଅତିରିକ୍ତ କ୍ଲାସ୍ କରାଯିବ।
ଅଧିକାରୀମାନେ କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଅତିକମରେ ସାତୋଟି ଜିଲ୍ଲା ଏହି ଗଭୀର ଅବପାତ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ପାଣିପାଗ ଓ ସ୍ଥାନୀୟ ପରିସ୍ଥିତି ଉପରେ ନିର୍ଭର କରି ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ ରଖିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

