ବାଲେଶ୍ୱର: ଉତ୍ତର ଓଡିଶାରେ ପୁଣି ବନ୍ୟା ବିପଦ। ବାଲେଶ୍ୱରରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀ ଖୋଲିବା ପରେ ତଳିଆ ଅଞ୍ଚଳ ଜଳମଗ୍ନ। ଜଳକା ଏ ବର୍ଷ ଷଷ୍ଠ ଥର ପାଇଁ ଆସିଛି ବନ୍ୟା। ଲଗାଣ ବର୍ଷା ଯେମିତି ଜିଲ୍ଲାର ଜନଜୀବନକୁ ଦୁର୍ବିସହ କରିଦେଇଛି। ଘରଦ୍ୱାରଠାରୁ ଆରମ୍ଭ କରି ଚାଷବାସ ପର୍ଯ୍ୟନ୍ତ, ସବୁକିଛି ଏବେ ପାଣି ଘେରରେ। ବାଲେଶ୍ୱର ଜିଲ୍ଲାର ୫ଟି ବ୍ଲକ୍ର ପ୍ରାୟ ୧୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।
ଅନ୍ୟପଟେ ପ୍ରାୟ ୩ ହଜାର ୭୭୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ବିପଦସଙ୍କୁଳ ଅଞ୍ଚଳରୁ ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୁଢ଼ାବଳଙ୍ଗ ବିପଦ ସଙ୍କେତ (୮.୧୩ ମି) ଉପରେ ପ୍ରବାହିତ ହେଉଛି । ଜଳସ୍ତର ୮.୨୬ ମିଟରରେ ଚାଲିଥିଲା । ସୁବର୍ଣ୍ଣରେଖା ଫୁଲୁଥିବାବେଳେ ଶନିବାରକୁ ରାଜଘାଟରେ ବିପଦ ସଙ୍କେତ ଟପିପାରେ । ଜଳସ୍ତର ୯.୭୧ ମିଟରରେ ପ୍ରବାହିତ ହେଉଥିଲା । ଜଳକା ମଥାନିରେ ବିପଦ ସଙ୍କେତ ଟପି ୬.୮୨ ମିଟରରେ ପ୍ରବାହିତ ହେଉଥିଲା ।
ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ନଦୀ ଜଳସ୍ତର ଫୁଲି ଉଛୁଳିଲାଣି । ମହାନଦୀକୁ ଛତିଶଗଡ଼ ବର୍ଷା ଚିନ୍ତା ଘାରିଲାଣି । ପାଣିପାଗ ବିଭାଗ ଆକଳନ ହେଲା, ଆଜି ଆହୁରି ଗୋଟିଏ ଦିନ କିଛି ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ। ରବିବାରଠାରୁ ବର୍ଷା ପୂରା କମିବ। ଗଭୀର ଅବପାତ ୨୩ ତାରିଖ ରାତିରେ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ପରେ ୨୪ ତାରିଖ ପୂରାକୁ ପୂରା ଦକ୍ଷିଣ ଓଡ଼ିଶାରେଦ କୋପ ଦେଖାଇଥିଲା। ଶୁକ୍ରବାର ସକାଳେ ଏହା ଅବପାତ ଅବସ୍ଥାକୁ ଆସିଲା। ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଲଗାଣ ବର୍ଷା ହୋଇଛି। ଦକ୍ଷିଣ ସହ ଉପକୂଳରେ ପ୍ରାୟ ୪୦-୫୦ କିମି ବେଗରେ ପବନ ମାଡ଼ ହୋଇଛି। ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରୁ ଭୂସ୍ଖଳନ, ପୋଲ ଭାସିବା, ନଦୀ ଫୁଲିବା ଏବଂ ଗଛ ଓ ପଥର ଖସି ଯୋଗାଯୋଗ ବିଚ୍ଛିନ୍ନ ଖବର ଆସିଥିବାବେଳେ ଉତ୍ତର ଓଡ଼ିଶାରେ ବି ବନ୍ୟା ସ୍ଥିତି ଦେଖା ଦେଇଛି।

