ସାଉଥ ଆଫ୍ରିକା: ସାଉଥ ଆଫ୍ରିକାର ଦୁଇଟି ବଡ ବଡ ସହରରେ ସାମୂହିକ ଗୁଳିକାଣ୍ଡ । ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଛି । ଉଭୟ ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତିରେ ଗୁଳିମାଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏକେ-47 ଓ ପିସ୍ତଲରେ ଅନ୍ଧାଧୁନ୍ ଗୁଳି ଚାଳନା ହୋଇଥିବା ସୂଚନା ମିଲିଛି । ଦକ୍ଷିଣ-ପୂର୍ବ ଜୋହାନ୍ସବର୍ଗର ୱାଡେଲା ଟାଉନସିପ୍ର ଏକ ମଦ ଦୋକାନ ପାଖରେ ଘଟିଛି ଏହି ଅଘଟଣ । ପୋଲିସର କହିବା ଅନୁସାରେ ଏକେ-୪୭ ଓ ପିସ୍ତଲ ଧରି ପ୍ରାୟ ୮ଜଣ ସନ୍ଦିଗ୍ଧ ପ୍ରଥମେ ମଦଦୋକାନ ବାହାରେ ଥିବା ଗ୍ରାହକଙ୍କ ଉପରକୁ ଗୁଳି ଚଳାଇଥିଲେ । ପରେ ମଦଦୋକାନ ଭିତରକୁ ପଶି ଆଖିବୁଜା ଫାୟାରିଂ କରିଥିଲେ । ଘଟଣାରେ ୧୩ ପୁରୁଷ ଓ ୪ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ୧୫ ଆହତଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସମ୍ପୃକ୍ତ ବନ୍ଧୁକଧାରୀ ସନ୍ଦିଗ୍ଧଙ୍କୁ ଖୋଜୁଛି । ସେପଟେ କେପଟାଉନର ଲ୍ୱାଣ୍ଡଲରେ ଥିବା ଏକ ଦୋକାନରେ ମଧ୍ୟ ଅନ୍ଧାଧୂନ୍ ଗୁଳିବର୍ଷା ହୋଇଛି । ଯେଉଁଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଡରବାନର ଇଷ୍ଟକୋଷ୍ଟ ସହରରେ ଚାଲିଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ୨ଜଣ ସନ୍ଦିଗ୍ଧ ହଠାତ୍ ପଶି ଅତର୍କିତ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ୧୧ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିଲେ । ପୋଲିସ ସବୁ ଘଟଣାର ତଦନ୍ତ ଜାରି ରଖିଛି ।


