Latest Odisha News

BREAKING NEWS

ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା

ଭୁବନେଶ୍ୱର: ଆରମ୍ଭ ହେଲାଣି ନବରାତ୍ର। ଚଳଚଞ୍ଚଳ ପୁରପଲ୍ଲୀଠାରୁ ଆରମ୍ଭ କରି ସହରାଞ୍ଚଳ। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ଦୂର୍ଗା ପୂଜା ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଲଗାଯାଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ଅପରାହ୍ନ ୨ ଟା ଠାରୁ ରାତି ୨ ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ।

ଟ୍ରାଫିକ୍ ସମସ୍ୟା ଦୃଷ୍ଟିରୁ କୌଣସି ଭାରି ଯାନ ସହରର ବିଭିନ୍ନ ରାସ୍ତା ଦେଇ ଯାଇପାରିବେ ନାହିଁ। ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କୁ ୫୦୦ କିମ୍ବା ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂଜା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନ ଚଳାଚଳ ନିୟନ୍ତ୍ରଣ ସହ ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ବିସ୍ତୃତ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି ହୋଇଛି ।

ପୋଲିସର ବିଜ୍ଞପ୍ତି ଅନୁସାରେ, ନିର୍ଦ୍ଧାରିତ ଦିନ ଓ ସମୟରେ ନିମ୍ନଲିଖିତ ରାସ୍ତାଗୁଡ଼ିକରେ ଭାରୀ ଯାନ ଚଳାଚଳ କରିପାରିବ ନାହିଁ। ତେବେ ଉପରୋକ୍ତ କଟକଣାଗୁଡ଼ିକ ପୋଲିସ, ଅଗ୍ନିଶମ, ଏକ୍ସାଇଜ, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ।

ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ, ବାଣୀବିହାର ଛକ ଠାରୁ ଶିଶୁଭବନ ଛକ, ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ, ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ, ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ, ଜୟଦେବ ବିହାର ଠାରୁ ରାଜଭବନ ଛକ, ସିଆରପି ଛକ ଠାରୁ ପାଓ୍ବାର ହାଉସ ଛକ, ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ, ଖଣ୍ଡଗିରି ଛକ ଠାରୁ ପୋଖରୀ ପୁଟ ଛକ, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଏନଏଚ-୧୬ର ଉଭୟ ପଟରେ ଏହି କଟକଣା ଲାଗୁ କରାଯାଇଛି।

ସେହିଭଳି ପୁରୀ ପଟୁ ଆସୁଥିବା ବସ୍ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଯିବେ । ସହର ଭିତରକୁ କୌଣସି ବସ୍ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ ବାହାରୁଥିବା କୌଣସି ବସ୍ ବାଣୀବିହାର କିମ୍ବା ରବି ଟକିଜ୍ ଆଡ଼କୁ ଯାଇପାରିବେ ନାହିଁ। ଏହା ରାମ ମନ୍ଦିର ଓ ହାଉସିଂ ବୋର୍ଡ ଛକ ଦେଇ ଆଚାର୍ଯ୍ୟ ବିହାର ଯିବ।

ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ଭାରୀ ଯାନଗୁଡ଼ିକୁ ସିଧାସଳଖ ଭୁବନେଶ୍ୱର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏହି ଗାଡ଼ିଗୁଡ଼ିକ ପିତାପଲ୍ଲୀ ଛକରୁ ବାମପଟ ରାସ୍ତା ଦେଇ ଚନ୍ଦକା-ବାରଙ୍ଗ ରାସ୍ତାରେ ଯାଇ ବାଲିକୁଦା ନିକଟରେ ଜାତୀୟ ରାଜପଥ-୧୬ରେ ମିଶିବେ ।
ସେହିପରି, କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଭାରୀ ଯାନଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀଠାରେ ଜାତୀୟ ରାଜପଥ-୧୬ରେ ମିଶିପାରିବେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ ନିକଟରୁ ମଧ୍ୟ ଭାରୀ ଯାନ ଚଳାଚଳ ବନ୍ଦ କରାଯାଇପାରେ ।

Leave A Reply

Your email address will not be published.