Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ସୋମବାର ଶାନ୍ତିଶୃଙ୍ଖଳା, ଉତ୍ସାହ ମଧ୍ୟରେ ଶେଷ ହୋଇଛି । ଗୋଟିଏ ପଟେ ଆସ୍ଥା ଓ ବିଶ୍ୱାସ, ଅନ୍ୟପଟେ ଆଇନ ଓ ପ୍ରଶାସନିକ କଟକଣା ମଧ୍ୟରେ ପଡିଛି ବଳି । ଜେନାଖାଲ ଠାରୁ ମା’ଙ୍କ ମନ୍ଦିର ୩ କିଲୋମିଟର ମା’ଙ୍କ ଛତର ଯିବା ସମୟରେ ମାନସିକଧାରୀ ମାନେ କୁକୁଡ଼ା ବୋଦା ବଳି ଦେଇଥିବା ବେଳେ କିଛି ଶ୍ରଦ୍ଧାଳୁ ଶାନ୍ତିର ପ୍ରତୀକ ଭାବେ ପାରାକୁ ମା’ଙ୍କ ଛତର ଉପରେ ଛାଡି ଦେଇଥିଲେ । ସୂଚନାଥାଉକି, ସୁପ୍ରିମକୋର୍ଟଙ୍କ ନିୟମାବଳୀ ଓ ପ୍ରଶାସନର କଟକଣା ସତ୍ତ୍ୱେ ମାନସିକଧାରୀମାନେ କୁକୁଡ଼ା ଓ ବୋଦା ବଳି ଦେଇଥିଲେ ଫଳରେ ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ।
ଖବରମୁତାବକ, ଭବାନୀପାଟଣା ସହରର ଜେନାଖାଲରୁ ମା’ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଛତର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପରମ୍ପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରୁ ଗୁପ୍ତ ପୂଜାପରେ ମହାନବମୀ ପ୍ରତ୍ୟୁଷରେ ଜେନାଖାଲରେ ହୋଇଥିଲା ସ୍ୱତନ୍ତ୍ର ଗୁପ୍ତପୂଜା । ପରେ ଭୋର ୪ଟା ୩୦ରେ ଜେନାଖାଲ ଠାରୁ ପୂଜକ, ବହୁକ, ମୁଣ୍ଡଛୀନା ସେବକ ମା’ଙ୍କ ଛତର ନେଇ ବାହାରିଥିଲେ । ଘୁମୁରା, ନିଶାନ ଓ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଥିଲା ପରିବେଶ। ମା’ଙ୍କ ଛତରକୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ବିଜୟ ଯାତ୍ରାରେ ସାମିଲ ହୋଇଥିଲେ ୩୫ଟି ସାଂସ୍କୃତିକ ଦଳ ।
ପ୍ରଶାସନ ପକ୍ଷରୁ ଏବଂ କଳାହାଣ୍ଡି ରାଜ ଦରବାର ପକ୍ଷରୁ ଛତର ୧୧ଟାରେ ମନ୍ଦିରକୁ ପିହଞ୍ଚିବା ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥିବା ବେଳେ କୌଣସି କାରଣ ପାଇଁ ଚଳିତ ବର୍ଷ ସକାଳ ୮ରେ ମା’ଙ୍କ ମନ୍ଦିରକୁ ପହଞ୍ଚିଥିଲା । ତେବେ ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଛତରକୁ କାନ୍ଧରେ ବୋହି ଗର୍ଭଗୃହକୁ ନେଇଥାନ୍ତି କିନ୍ତୁ ଚଳିତ ବର୍ଷ ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁ ତାଙ୍କ ପୁଅ କଳାହାଣ୍ଡି ରାଜ କୁମର ଛତରକୁ ଧରି ଗର୍ଭ ଗୃହକୁ ନେଇ କି ଯାଇଥିଲେ । ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଛତରଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ।

