Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ମଧ୍ୟରେ ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟାକୁ ନଜର ରଖି ସମସ୍ତ ଏନଏସି, ମ୍ୟୁନିସିପାଲିଟି, ଏବଂ ମହାନଗର ନିଗମକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ନିର୍ମିତ ଓ ନିର୍ମାଣାଧୀନ ସମସ୍ତ ସୁଉଚ୍ଚ ତୋରଣ (ଗେଟ୍) ଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡ଼ା ସହରର ୬୮ଟି ସ୍ଥାନ ସମେତ ୨ଟି ମ୍ୟୁନିସିପାଲିଟି ଓ ୯ଟି ବ୍ଲକ୍‌ର ୩୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ବାଉଁଶ ଓ ଲୁହା ଆଙ୍ଗେଲ୍ ସାହାଯ୍ୟରେ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି ।

​ପୂଜା କମିଟିଗୁଡ଼ିକ ସହ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର୍ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲାପାଳ କହିଛନ୍ତି,​” ଆସନ୍ତା ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଭୀଷଣ ବର୍ଷା ଓ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ସାଧାରଣ ଲୋକଙ୍କ ଜୀବନକୁ ରକ୍ଷା କରିବାକୁ ଯାଇ ଓ କୌଣସି ପ୍ରକାରର ଅଘଟଣ ଠାରୁ ଦୂରେଇ ରହିବା ପାଇଁ ତୋରଣ ଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।”

​ଅନ୍ୟପଟେ କେନ୍ଦ୍ରୀୟ ପୂଜା କମିଟି ସଭାପତି ଯୁଗଳ ବେହେରା କହିଛନ୍ତି ଯେ,” ଲୋକଙ୍କ ହିତ ଓ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନର ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ ।”

ଅନ୍ୟପକ୍ଷରେ ବାତ୍ୟା ପ୍ରଭାବିତଜିଲ୍ଲାଗୁଡ଼ିକରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇ ପାରିବେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଭଳି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ।


 

Leave A Reply

Your email address will not be published.