ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ଉତ୍ତରପ୍ରଦେଶର ବାରାଣସୀ ବିମାନବନ୍ଦରରୁ ବାହାରିବେ। ୪ଟା ୧୦ ମିନିଟ୍ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ।
ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର କିଛି ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଏହି କଟକଣା ସନ୍ଧ୍ୟା ୫ଟା ୪୦ ମିନିଟରୁ ସନ୍ଧ୍ୟା ୬ଟା ୪୦ ମିନିଟ୍ ପର୍ଯ୍ୟନ୍ତ ବଳବତ୍ତର ରହିବ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସି ଖୋର୍ଦ୍ଧା ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡାଟା ସେଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭିଆଇପି ଏବଂ ଭିଭିଆଇପି ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଗସ୍ତ ସମୟରେ ଯାନବାହାନ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ଆରବିଆଇ ଡାଟା ସେଣ୍ଟରରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରିତ କରାଯିବ। ସୁରକ୍ଷା ପାଇଁ ମୋଟ୍ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ ଶହ ଅଧିକାରୀଙ୍କୁ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।

