Latest Odisha News

BREAKING NEWS

ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ ରିଲିଫ୍, ଜରୁରୀକାଳୀନ ସେବା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ବିଶେଷକରି ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ, କ୍ଷେତ୍ରସ୍ତରରେ ଅଧିକ ଯାନ୍ତ୍ରିକ ଓ ପ୍ରଶାସନିକ ସହାୟତା ଯୋଗାଣ ଏବଂ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ସହାୟତା ପ୍ରଦାନ ଉପରେ ବିଭାଗ ଗୁରୁତ୍ୱ ଦେଇଛି ।

ବାତ୍ୟା ପ୍ରଭାବରେ ବ୍ରହ୍ମପୁର ସହରର ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି । ଜନିଭିଲି ଇଣ୍ଟେକ୍‌ର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଗ୍ରାହକମାନଙ୍କୁ ଅସୁବିଧାରୁ ରକ୍ଷା କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ବ୍ରହ୍ମପୁର ସହରର ଦୈନିକ ଜଳ ଆବଶ୍ୟକତା ୯୦ ଏମ୍‌ଏଲ୍‌ଡି ଥିବାବେଳେ ବର୍ତ୍ତମାନ ୭୦ ଏମ୍‌ଏଲ୍‌ଡି ଜଳ ଯୋଗାଣ କରାଯାଉଛି । ଏଥିରେ ଭୂପୃଷ୍ଠ ଜଳ ଉତ୍ସରୁ ୬୪ ଏମ୍‌ଏଲ୍‌ଡି ଏବଂ ଅତିରିକ୍ତ ଭାବେ କାର୍ଯ୍ୟକ୍ଷମ କରାଯାଇଥିବା ୧୫ଟି ଉତ୍ପାଦନକାରୀ ନଳକୂପରୁ ୬ ଏମ୍‌ଏଲ୍‌ଡି ଜଳ ଯୋଗାଣ ହେଉଛି । ଏହା ସହିତ ପ୍ରଭାବିତ ଅଞ୍ଚଳରେ ଜଳ ବଣ୍ଟନ ପାଇଁ ୧୨ଟି ଘରୋଇ ଟ୍ୟାଙ୍କର ସମେତ ମୋଟ ୨୦ଟି ଟ୍ୟାଙ୍କର ନିୟୋଜିତ ହୋଇଛି ।

ସୁରକ୍ଷିତ ପାନୀୟ ଜଳ ଯୋଗାଣ ନିମନ୍ତେ ଜଳ ବିଶୋଧନାଗାରଗୁଡ଼ିକରେ କ୍ଲୋରିନେସନ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି । ପ୍ରି-କ୍ଲୋରିନେସନ୍ ୪ ପିପିଏମ୍‌, ପୋଷ୍ଟ-କ୍ଲୋରିନେସନ୍ ୧୦ ପିପିଏମ୍‌ ଏବଂ ଜଳ ବିତରଣ ବ୍ୟବସ୍ଥାର ଶେଷ ଭାଗରେ ୨ ପିପିଏମ୍‌ କ୍ଲୋରିନ୍‌ ପ୍ରୟୋଗ କରାଯାଉଛି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଓ ଗୋପାଳପୁରରେ ଜଳ ଯୋଗାଣ ସ୍ୱାଭାବିକ ରହିଛି ।

ଜନିଭିଲି ଇଣ୍ଟେକ୍‌ର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ସ୍ୱରୂପ ଇଣ୍ଟେକ୍‌ ନିକଟସ୍ଥ କନେକ୍ଟିକଟ୍‌ ନାଳ ଉପରେ ବାଲିବସ୍ତା ଦ୍ୱାରା ଏକ ଅସ୍ଥାୟୀ ପ୍ରତିବନ୍ଧକ ନିର୍ମାଣ କରାଯାଉଛି । ଏହାଦ୍ୱାରା ଜଳ ପ୍ରବାହକୁ ନିୟନ୍ତ୍ରଣ କରି ଇଣ୍ଟେକ୍‌ର ପୁନରୁଦ୍ଧାର କାର୍ଯ୍ୟ ସହଜ କରାଯିବ । ନଭେମ୍ବର ୧ ସକାଳ ୫ଟାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ପ୍ରାୟ ୧୨୦ ଜଣ ଶ୍ରମିକ, ୩ଟି ଏକ୍ସକାଭେଟର୍‌ ଓ ୨ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି । ଏହି ଅସ୍ଥାୟୀ ପ୍ରତିବନ୍ଧକ ନିର୍ମାଣ ପାଇଁ ପ୍ରାୟ ୨୦ ହଜାର ବାଲିବସ୍ତା ବ୍ୟବହାର କରାଯିବ । କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଯାତାୟାତ, ବିଦ୍ୟୁତ୍‌, ଆଲୋକ, ରହିବା, ଖାଦ୍ୟ ଓ ପାନୀୟ ଜଳର ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଜଳ ପ୍ରବାହ ନିୟନ୍ତ୍ରଣ ହେବା ମାତ୍ରେ ଇଣ୍ଟେକ୍‌ର ସଫେଇ, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।

ଏହି ସମସ୍ତ କାର୍ଯ୍ୟକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ।

ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ କ୍ଷେତ୍ରସ୍ତରରେ ଯାନ୍ତ୍ରିକ ସହାୟତା ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରୁ ଆଉ ୫ ଜଣ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମରେ ନିୟୋଜିତ କରାଯାଇଛି.। ଏହି ଯନ୍ତ୍ରୀମାନଙ୍କ ସେବାକୁ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଅଧୀନରେ ନ୍ୟସ୍ତ କରାଯାଇଛି ଏବଂ ସେମାନେ ନଭେମ୍ବର ୧ ତାରିଖ ଅପରାହ୍ଣରୁ ନିଜ ନିଜର ପୂର୍ବ କାର୍ଯ୍ୟସ୍ଥଳରୁ ଅବ୍ୟାହତି ନେଇଛନ୍ତି ।

ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଟିମ୍‌ଗୁଡ଼ିକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ପ୍ରସ୍ତୁତ କରି ଯଥାଶୀଘ୍ର ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏହି ରିପୋର୍ଟଗୁଡ଼ିକୁ ସମନ୍ୱିତ କରି ଆବଶ୍ୟକୀୟ ପଦକ୍ଷେପ ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯିବ ।

ପୁନରୁଦ୍ଧାର କାର୍ଯ୍ୟରେ ମାନବୀୟ ସମ୍ବେଦନଶୀଳତା ଓ ଲୋକକୈନ୍ଦ୍ରିକ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ପରିସ୍ଥିତିର ନିରନ୍ତର ତଦାରଖ କରିବା ସହ ସମୟୋଚିତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପୃକ୍ତ ପୌରାଞ୍ଚଳରେ ରାସ୍ତା ମରାମତି, ରିଲିଫ୍‌ ପଦକ୍ଷେପ, ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ, ସଫେଇ ଓ ଅନ୍ୟାନ୍ୟ କାର୍ଯ୍ୟର ବିବରଣୀ ଦାଖଲ କରିବାକୁ ଇଓମାନଙ୍କୁ କୁହାଯାଇଛି । ଏଥିସହ ଅତିରିକ୍ତ ଭାବେ ନିଆଯାଇଥିବା ପଦକ୍ଷେପ ଏବଂ ରାଜ୍ୟ ସରକାର କିମ୍ବା ଅନ୍ୟ ସଂସ୍ଥାଗୁଡ଼ିକଠାରୁ ଆବଶ୍ୟକ ସହାୟତା ସମ୍ପର୍କରେ ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମତୀ ପାଢ଼ୀ ଇଓମାନଙ୍କୁ କେବଳ ସରକାରୀ ଦାୟିତ୍ୱ ମଧ୍ୟରେ ସୀମିତ ନରହି ପ୍ରଭାବିତ ନାଗରିକ ଓ ପରିବାରଙ୍କ ପାଇଁ ଜଣେ ସହୃଦୟ ପଡ଼ୋଶୀ ଭାବେ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ।

ଏଥିପାଇଁ କମ୍ୟୁନିଟି ଅର୍ଗାନାଇଜର୍‌, ସହଯୋଗ ସାଥୀ ଓ ସଫେଇ କର୍ମଚାରୀମାନଙ୍କୁ ନିୟୋଜିତ କରି ପ୍ରଭାବିତ ପରିବାରଙ୍କୁ ପ୍ରତ୍ୟକ୍ଷ ସହାୟତା ଯୋଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ମଧ୍ୟରେ ପ୍ରଭାବିତ ଘରଗୁଡ଼ିକୁ ସଫା କରିବାରେ ସହାୟତା, ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ପରିବାରଗୁଡ଼ିକୁ ସେମାନଙ୍କର ଦୈନନ୍ଦିନ ଜୀବନ ସ୍ୱାଭାବିକ କରିବାରେ ସହଯୋଗ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରିଲିଫ୍‌ ସହାୟତା ପାଇବାରେ ସହଯୋଗ କରିବା ଆଦି ଅନ୍ତର୍ଭୁକ୍ତ ।

ପୁନରୁଦ୍ଧାର ସମୟରେ ସମାଜରେ ଦେଖାଦେଉଥିବା ସହଯୋଗ, ସଦ୍‌ଭାବନା, ମାନବିକତା ଓ ଜନସେବାର ସକାରାତ୍ମକ ଉଦାହରଣଗୁଡ଼ିକୁ ଲିପିବଦ୍ଧ କରି ସେୟାର କରିବାକୁ ମଧ୍ୟ ଇଓ ଓ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକୁ ଉତ୍ସାହିତ କରାଯାଇଛି ।

ବ୍ରହ୍ମପୁର ମହାନଗର ନିଗମ ସମେତ ଅନ୍ୟ ପ୍ରଭାବିତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅତିରିକ୍ତ ପ୍ରଶାସନିକ ଓ କାର୍ଯ୍ୟକ୍ଷମ ସହାୟତା ଯୋଗାଇ ଦିଆଯାଇଛି । କ୍ଷେତ୍ରସ୍ତରରେ ସମନ୍ୱୟ ସୁଦୃଢ଼ କରିବା ପାଇଁ ଅତିରିକ୍ତ ଅଧିକାରୀ ନିୟୋଜିତ ହୋଇଛନ୍ତି । ଜରୁରୀକାଳୀନ ପଦକ୍ଷେପ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ଆର୍ଥିକ ସମ୍ବଳ ବ୍ୟବହାର କରିବାକୁ ପୌରସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶାଳୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି ।

ପ୍ରଭାବିତ ସହରାଞ୍ଚଳଗୁଡ଼ିକରେ ଅତ୍ୟାବଶ୍ୟକ ସେବାର ଶୀଘ୍ର ପୁନଃସ୍ଥାପନ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଯାନ୍ତ୍ରିକ ଓ ପ୍ରଶାସନିକ ସହାୟତା ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ବିଭାଗ ନିରନ୍ତର ନଜର ରଖିଛି । ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସତର୍କ, ସମ୍ବେଦନଶୀଳ ଓ ସକ୍ରିୟ ରହିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.