Latest Odisha News

BREAKING NEWS

ଅଖିଳେଶ ଯାଦବଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଟାର୍ଗେଟ: ରାମଭକ୍ତଙ୍କୁ କ୍ଷମା ମାଗ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରସ୍ତାବିତ ଅଯୋଧ୍ୟା ଗସ୍ତ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ଦଶମ ଦୀପୋତ୍ସବ କାର୍ଯ୍ୟକ୍ରମରେ ସନ୍ଥମାନଙ୍କୁ ସମ୍ବୋଧିତ କରି ଯୋଗୀ କହିଛନ୍ତି ଯେ, ଯେଉଁମାନେ ୧୯୯୦ରେ କରସେବକଙ୍କ ଉପରେ ଗୁଳି ଚଳାଇଥିଲେ ଏବଂ ରାମଭକ୍ତଙ୍କ ରକ୍ତରେ ଅଯୋଧ୍ୟା ରାଜରାସ୍ତାକୁ ରଞ୍ଜିତ କରିଥିଲେ, ସେମାନେ ଅଯୋଧ୍ୟା ଆସିବା ପୂର୍ବରୁ ପ୍ରଥମେ ରାମଭକ୍ତ, ସନ୍ଥ ଏବଂ ଅଯୋଧ୍ୟାବାସୀଙ୍କୁ କ୍ଷମା ମାଗିବା ଉଚିତ।

ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କ ନାମ ନନେଇ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି, ” କୋଟି କୋଟି ରାମଭକ୍ତଙ୍କ ଭାବନାକୁ ଅପମାନିତ କରିଥିବା ଲୋକମାନେ କେବଳ ମନ୍ଦିର ଦର୍ଶନ କରି ନିଜ ପାପ ଧୋଇପାରିବେ ନାହିଁ। ଯେଉଁମାନେ ଦିନେ ଭଗବାନ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଥିଲେ ଏବଂ ରାମ ମନ୍ଦିର ଆନ୍ଦୋଳନକୁ ବିରୋଧ କରୁଥିଲେ, ସେମାନେ ଆଜି ରାଜନୈତିକ ଫାଇଦା ନେବା ପାଇଁ ଅଯୋଧ୍ୟା ଆସୁଛନ୍ତି। ଏହା ଜନତାଙ୍କ ଆସ୍ଥାର ବିଜୟ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡବଲ  ଇଞ୍ଜିନ୍ ସରକାର ଅଧୀନରେ ଅଯୋଧ୍ୟା ଏକ ଅବହେଳିତ ସହରରୁ ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ ହୋଇଛି ଏବଂ ୩୦ ଲକ୍ଷ ଦୀପ ପ୍ରଜ୍ୱଳନ ସହ ଏଠାରେ ରାମରାଜ୍ୟର ପୁନରାଗମନ ହୋଇଛି।

ସୂଚନାଯୋଗ୍ୟ ଯେ, ସପା ନେତା ପୱନ ପାଣ୍ଡେ ସୂଚନା ଦେଇଛନ୍ତି ଯେ ଅଖିଳେଶ ଯାଦବ ଆସନ୍ତା ଡିସେମ୍ବର ୧୨ ତାରିଖରେ ନିଜ ପରିବାର ସହ ଅଯୋଧ୍ୟା ଗସ୍ତ କରି ହନୁମାନଗଢ଼ୀ ଏବଂ ରାମ ମନ୍ଦିର ଦର୍ଶନ କରିବେ। ୨୦୨୪ ଜାନୁଆରୀରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ପରଠାରୁ ଏହା ଅଖିଳେଶଙ୍କର ପ୍ରଥମ ଅଯୋଧ୍ୟା ଗସ୍ତ ହେବ। ଏହି ଗସ୍ତ ସମ୍ପୂର୍ଣ୍ଣ ଭାବେ ଆସ୍ଥାର ବିଷୟ ଏବଂ ବିଜେପି ଏହାକୁ ନେଇ ରାଜନୀତି ନକରୁ ବୋଲି ସପା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.