Latest Odisha News

BREAKING NEWS

ପତ୍ନୀଙ୍କ ସହ ଭାଇରାଲ ଭିଡିଓ ଉପରୁ ପରଦା ହଟାଇଲେ ପ୍ୟାଟ୍ କମିନ୍ସ: ଝଗଡ଼ା ନୁହେଁ ଖ୍ୱାଜାଙ୍କ ବୟାନରେ ପତ୍ନୀ କ୍ଷୁବ୍ଧ ଥିଲେ’

ସିଡନୀ: ପତ୍ନୀ ବେକିଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ। ସିଡନୀସ୍ଥିତ ବାସଭବନ ବାହାରେ ଦୁହିଁଙ୍କ ମଧ୍ୟରେ କୌଣସି ପାରିବାରିକ କଳହ କିମ୍ବା ଯୁକ୍ତିତର୍କ ହୋଇନଥିଲା, ବରଂ ପୂର୍ବତନ ସାଥୀ ଖେଳାଳି ଉସମାନ ଖ୍ୱାଜାଙ୍କ ‘ସ୍ୟାଣ୍ଡପେପରଗେଟ୍’ ଦାବିକୁ ନେଇ ବେକି ଅତ୍ୟନ୍ତ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ଥିଲେ ବୋଲି କମିନ୍ସ ସ୍ପଷ୍ଟ କରିଛନ୍ତି।

ସିଡନୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିନ୍ସ କହିଛନ୍ତି ଯେ, ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା କିଛିଟା ହାସ୍ୟାସ୍ପଦ ଏବଂ ମୂଲ୍ୟହୀନ । ସାଢ଼େ ଆଠ ବର୍ଷ ତଳର ଏକ ପୁରୁଣା ଘଟଣାକୁ ନେଇ ଏବେ ତାଙ୍କ ଘର ସାମ୍ନାରେ କ୍ୟାମେରା ଲଗାଇ ପରିବାର ଲୋକଙ୍କ ବ୍ୟକ୍ତିଗତ ଜୀବନର ପିଛା କରିବା ଆଦୌ ଠିକ୍ ନୁହେଁ। ବେକି ସବୁବେଳେ ନିଜ ଭାବନାକୁ ଖୋଲାଖୋଲି ପ୍ରକାଶ କରନ୍ତି। ସେହି ସମୟରେ ଆମ ଭିତରେ କୌଣସି ଝଗଡ଼ା ଚାଲିନଥିଲା, ବରଂ ଖ୍ୱାଜାଙ୍କ ଏଭଳି ବୟାନକୁ ନେଇ ସେ ବହୁତ ଦୁଃଖିତ ଓ ବିରକ୍ତ ଥିଲେ।

କମିନ୍ସ ଆହୁରି ମଧ୍ୟ କହିଛନ୍ତି ଯେ, ଗଣମାଧ୍ୟମ ଆଗରେ କୌଣସି କଥା ନଲୁଚାଇ ସବୁ ସତ ଓ ନିଜର ପ୍ରକୃତ ଭାବନା ପ୍ରକାଶ କରିବାକୁ ବେକି ତାଙ୍କୁ ପରାମର୍ଶ ଦେଇଥିଲେ। ଏହି ବିବାଦୀୟ ଘଟଣା ଯୋଗୁଁ ଅନେକ ଲୋକ ଏବେ ବି ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଅଯଥାରେ ସେମାନଙ୍କ ପରିବାରକୁ ଟଣାଯାଉଛି ବୋଲି ବେକି କହିଥିଲେ।

ସୂଚନାଯୋଗ୍ୟ ଯେ, ଉସମାନ ଖ୍ୱାଜା ନିଜ ଆତ୍ମଜୀବନୀ ‘ସବ୍ର’ରେ ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ହୋଇଥିବା ବଲ୍ ଟାମ୍ପରିଂ ବିବାଦ ବିଷୟରେ ଟିମର ଅନ୍ୟ ବରିଷ୍ଠ ସଦସ୍ୟମାନେ ପୂର୍ବରୁ ଜାଣିଥିଲେ ବୋଲି ଦାବି କରିଛନ୍ତି। ତେବେ କମିନ୍ସ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ, ମିଥ୍ୟା ଓ ଦାୟିତ୍ୱହୀନ ବୋଲି କହି ଦୃଢ଼ ଖଣ୍ଡନ କରିବା ସହ ବଲ୍ ଟାମ୍ପରିଂ ଯୋଜନା ବିଷୟରେ ତାଙ୍କୁ କିଛି ଜଣା ନଥିଲା ବୋଲି ପୁଣିଥରେ ଦୋହରାଇଛନ୍ତି।

Leave A Reply

Your email address will not be published.