ଭୁବନେଶ୍ୱର: ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏକ ଜାଲ୍ ଓ ଭ୍ରମାତ୍ମକ ନିଯୁକ୍ତି ବିଜ୍ଞାପନ ପ୍ରସାରିତ ହେଉଛି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସାଧାରଣ ଜନତା ଏବଂ ଆଶାୟୀ ଚାକିରି ପ୍ରାର୍ଥୀମାନଙ୍କୁ ସତର୍କ କରାଯାଉଛି।
ଏହି ନକଲି ବିଜ୍ଞାପନରେ ରାଜ୍ୟ ସରକାରଙ୍କ ‘କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥା’ (ATMA) ଅଧୀନରେ “ଏଜେନ୍ସି ପେ’ରୋଲ୍” (Agency Payroll) ଭିତ୍ତିରେ ଜରୁରୀକାଳୀନ ନିଯୁକ୍ତି ହେଉଥିବା ଦର୍ଶାଯାଇଛି। ଏଥିରେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ଲକ ସ୍ତରରେ ମାସିକ ୩୫,୦୦୦/- (CTC) ଦରମାରେ ୧୦୫ଟି ବ୍ଲକ ଟେକ୍ନୋଲୋଜି ମ୍ୟାନେଜର (BTM) ଏବଂ ମାସିକ ୩୦,୦୦୦/- (CTC) ଦରମାରେ ୨୩୫ଟି ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜର (ATM) ପଦବୀ ଖାଲି ଥିବା ନେଇ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ବିଜ୍ଞାପନଟି ସମ୍ପୂର୍ଣ୍ଣ ମନଗଢ଼ା, ଭିତ୍ତିହୀନ ଏବଂ ଅଣ-ଅଧିକୃତ। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କିମ୍ବା ‘ଇମେଜ୍’ (IMAGE) ପକ୍ଷରୁ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରାଯାଇ ନାହିଁ। ଏହି ଠକେଇରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ତଦନ୍ତ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ‘ଇମେଜ୍’ (IMAGE) ପକ୍ଷରୁ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଏତଲା ଦାୟର କରାଯାଇଛି (ପତ୍ର ସଂଖ୍ୟା: ୫୭୮୦, ତା. ୨୬.୧୧.୨୦୨୬) ଏବଂ ଏ ସମ୍ପର୍କରେ ଭୁବନେଶ୍ୱର ଡି.ସି.ପି ଙ୍କୁ ମଧ୍ୟ ଅବଗତ କରାଯାଇଛି।
ଆଶାୟୀ ଚାକିରି ପ୍ରାର୍ଥୀମାନଙ୍କୁ ଦୃଢ଼ ଭାବରେ ପରାମର୍ଶ ଦିଆଯାଉଛି ଯେ, ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏଭଳି କୌଣସି ବିଭ୍ରାନ୍ତିକର ପୋଷ୍ଟକୁ ବିଶ୍ୱାସ କରନ୍ତୁ ନାହିଁ। ‘ଆତ୍ମା’ (ATMA) ଯୋଜନାରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଉଥିବା କୌଣସି ଅଣ-ଅଧିକୃତ ବ୍ୟକ୍ତି କିମ୍ବା ସଂସ୍ଥାକୁ ନିଜର ବ୍ୟକ୍ତିଗତ କାଗଜପତ୍ର ଦିଅନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ଅର୍ଥ ପ୍ରଦାନ କରନ୍ତୁ ନାହିଁ।
ସମସ୍ତ ପ୍ରକୃତ ଓ ଅଧିକୃତ ନିଯୁକ୍ତି ବିଜ୍ଞାପନ ଏବଂ ସୂଚନା କେବଳ ଓଡ଼ିଶା ସରକାରଙ୍କ ସରକାରୀ ୱେବସାଇଟ୍ ଏବଂ ସ୍ୱୀକୃତିପ୍ରାପ୍ତ ମୁଦ୍ରିତ ଗଣମାଧ୍ୟମ ଜରିଆରେ ହିଁ ପ୍ରକାଶିତ ହୋଇଥାଏ।
