Latest Odisha News

BREAKING NEWS

Mann Ki Baat: ଯୁବପିଢ଼ିର ସ୍ୱପ୍ନ ଉପରେ ନିଶାର କଳାବାଦଲ! ‘ମନ୍ କି ବାତ୍‌’ରେ ମୋଦୀଙ୍କ ବଡ଼ ଆହ୍ୱାନ, ଚକୋଲେଟ୍‌ରୁ ମ୍ୟୁଜିୟମ୍ ଯାଏଁ କହିଲେ ନୂଆ ସୁଯୋଗର କଥା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ୧୪୦ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅଧ୍ୟାୟରେ ଯୁବପିଢ଼ିଙ୍କ ଭବିଷ୍ୟତ, ନିଶାମୁକ୍ତ ଭାରତ, ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ, ଡିଜିଟାଲ୍ ସେବା, ଭାରତୀୟ କଳା ଓ ଉଦ୍ୟୋଗ ସମେତ ଅନେକ ପ୍ରସଙ୍ଗ ଉଠାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଡ୍ରଗ୍ସ ଓ ନିଶା ଯୁବପିଢ଼ିର ସ୍ୱପ୍ନ ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ନିଶା ବିରୋଧରେ ସମାଜର ସକ୍ରିୟତା ବଢ଼ୁଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଛନ୍ତି। ‘ନିଶାମୁକ୍ତ ଯୁବ ଅଭିଯାନ’ ମଧ୍ୟ ଜୋରସୋରରେ ଚାଲିଥିବା ସେ କହିଛନ୍ତି। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ସମାଜର ସବୁ ବର୍ଗ ଏକଜୁଟ ହୋଇ କାମ କରିବା ଆବଶ୍ୟକ ବୋଲି ମୋଦୀ ଆହ୍ୱାନ ଦେଇଛନ୍ତି।

ସରକାରୀ କର୍ମଚାରୀଙ୍କ ଦକ୍ଷତା ବିକାଶ ପ୍ରସଙ୍ଗରେ ମୋଦୀ ‘iGOT କର୍ମଯୋଗୀ’ ପ୍ଲାଟଫର୍ମ ବିଷୟରେ କହିଛନ୍ତି। ଏହି ଡିଜିଟାଲ୍ ପ୍ଲାଟଫର୍ମରେ ୧୭ଟି ଭାରତୀୟ ଭାଷାରେ ୭ ହଜାରରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ରହିଛି। ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ବିଭିନ୍ନ କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି। କେହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଶିଖୁଥିବା ବେଳେ ଆଉ କେହି ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଶିଖୁଛନ୍ତି। ଏହାସହ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରି ପାଇବାରେ ସହାୟକ ହେଉଥିବା ଭାରତ ସରକାରଙ୍କ ‘ସଞ୍ଚାର ସାଥୀ’ ଡିଜିଟାଲ୍ ପ୍ଲାଟଫର୍ମ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଭାରତର ଐତିହ୍ୟ ଓ ସଂସ୍କୃତିର ପ୍ରଶଂସା କରି ମୋଦୀ କହିଛନ୍ତି, ପାଟନାରେ ଥିବା ବିହାର ମ୍ୟୁଜିୟମ୍ ବିଶ୍ୱର ୧୦୦ଟି ଶ୍ରେଷ୍ଠ ମ୍ୟୁଜିୟମ୍ ତାଲିକାରେ ୯ମ ସ୍ଥାନ ହାସଲ କରିଛି। ଏହା ସମଗ୍ର ଏସିଆରେ ପ୍ରଥମ ସ୍ଥାନରେ ରହିଛି। ସେହିପରି ଗୁଜରାଟର ବଡ଼ନଗରରେ ଥିବା ‘ଅନନ୍ତ ଅନାଦି ବଡ଼ନଗର ପୁରାତତ୍ତ୍ୱ ଅନୁଭୂତିମୂଳକ ସଂଗ୍ରହାଳୟ’ ବିଷୟରେ ମଧ୍ୟ ସେ କହିଛନ୍ତି। ପୁରାତତ୍ତ୍ୱ ବିଭାଗର ଖନନ ସମୟରେ ଇତିହାସର ବିଭିନ୍ନ ସମୟଖଣ୍ଡ ସହ ଜଡ଼ିତ ଅନେକ ସାମଗ୍ରୀ ମିଳିଥିଲା। ସେହି ଖନନ ସ୍ଥଳରେ ହିଁ ଏହି ମ୍ୟୁଜିୟମ୍ ନିର୍ମାଣ କରାଯାଇଛି।

ଇଟାଲୀର ଭେନିସ୍‌ରେ ଆୟୋଜିତ ପ୍ରସିଦ୍ଧ କଳା ପ୍ରଦର୍ଶନୀ ‘Venice Art Biennale’ରେ ଭାରତର ସଫଳତା ବିଷୟରେ ମୋଦୀ କହିଛନ୍ତି। କଳା ଜଗତର ଅଲିମ୍ପିକ୍ ଭାବେ ପରିଚିତ ଏହି ପ୍ରଦର୍ଶନୀରେ ପ୍ରାୟ ସାଢ଼େ ୪ ଲକ୍ଷ ଲୋକ ଭାରତୀୟ ପାଭିଲିୟନ୍ ପରିଦର୍ଶନ କରିଥିଲେ। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଦର୍ଶକଙ୍କ ଭୋଟ୍‌ରେ ଭାରତର ପାଭିଲିୟନ୍ ଶ୍ରେଷ୍ଠ ଭାବେ ଚୟନ ହୋଇଥିବା ସେ କହିଛନ୍ତି।

ଦେଶର ବିଭିନ୍ନ ଅଞ୍ଚଳରେ ଚକୋଲେଟ୍ ତିଆରି କରୁଥିବା ଉଦ୍ୟୋଗୀମାନେ ନୂଆ ନୂଆ ଆଇଡିଆ ସହ ଆଗକୁ ଆସୁଛନ୍ତି। ଅନେକ ଷ୍ଟାର୍ଟଅପ୍ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରି ନୂଆ ସ୍ୱାଦର ଚକୋଲେଟ୍ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ଚାଷୀ, ମହିଳା ଓ ଯୁବ ଉଦ୍ୟୋଗୀଙ୍କ ପାଇଁ ନୂଆ ରୋଜଗାର ଏବଂ ବ୍ୟବସାୟର ସୁଯୋଗ ସୃଷ୍ଟି ହେଉଥିବା ମୋଦୀ କହିଛନ୍ତି।

କାନାଡାରେ ଚାଲିଥିବା ସେବାମୂଳକ କାର୍ଯ୍ୟର ଉଦାହରଣ ଦେଇ ମୋଦୀ ‘ସାଇ ଧାମ ଫୁଡ୍ ବ୍ୟାଙ୍କ’ ବିଷୟରେ କହିଛନ୍ତି। ଏହାର ଲକ୍ଷ୍ୟ ହେଉଛି କେହି ଯେପରି ଭୋକିଲା ନ ଶୁଅନ୍ତି। ଏହି ଅବସରରେ ସେ ଶିଖ୍ ଗୁରୁମାନଙ୍କର ସୁନ୍ଦର ଚିତ୍ର ଅଙ୍କନ କରିଥିବା ମହାନ ଚିତ୍ରଶିଳ୍ପୀ ଶୋଭା ସିଂହଙ୍କୁ ମଧ୍ୟ ସ୍ମରଣ କରିଛନ୍ତି। ନଭେମ୍ବର ୨୯ ତାରିଖ ତାଙ୍କର ୧୨୫ତମ ଜୟନ୍ତୀ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.