Latest Odisha News

BREAKING NEWS

କରୋନା ଭାଇରସ: ଭାରତରେ ମହଜୁଦ ଅଛି ଯଥେଷ୍ଟ ପରିମାଣରେ ଔଷଧ ଓ ଅନ୍ୟ ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ନୋଭେଲ କୋରୋନା ଭୂତାଣୁ (କୋଭିଡ ୧୯) ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା, ନୀତି ଆୟୋଗ ସଦସ୍ୟ ଡ. ବିନୋଦ କେ ପଲ, ଏବଂ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ସ୍ୱାସ୍ଥ୍ୟ, ଔଷଧ, ବେସାମରିକ ବିମାନ ଚଳାଚଳ, ବୈଦେଶିକ ବ୍ୟାପାର, ସ୍ୱାସ୍ଥ୍ୟ ଗବେଷଣା, ଗୃହ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଏନଡିଏମଏର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଦେଶରେ ନୋଭେଲ କୋରୋନା ଭୂତାଣୁ ମୁକାବିଲାର ବର୍ତମାନ ସ୍ଥିତି ଏବଂ ଏ ଦିଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥା ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏକ ଉପସ୍ଥାପନା କରିଥିଲେ । ଏହି ଉପସ୍ଥାପନାରେ ପ୍ରବେଶ ଏବଂ ସାମୁଦାୟିକ ନିରୀକ୍ଷଣ, ପରୀକ୍ଷାଗାର ସହାୟତା, ଡାକ୍ତରଖାନାରେ ପ୍ରସ୍ତୁତି, ଲଜିଷ୍ଟିକ୍ସ ଏବଂ ବିପତି ଯୋଗାଯୋଗ ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଭାରତରେ ବ୍ୟବହାର ଲାଗି ଯଥେଷ୍ଟ ପରିମାଣରେ ଔଷଧ, ସକ୍ରିୟ ଔଷଧୀୟ ସରଞ୍ଜାମ ଏବଂ ଅନ୍ୟ ଉପଯୋଗୀ ସାମଗ୍ରୀ ମହଜୁଦ ଥିବା ଔଷଧ ବିଭାଗ ସଚିବ ସୂଚନା ଦେଇଥିଲେ ।

ସମସ୍ତ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ଏବଂ ସୀମାବର୍ତୀ ମାର୍ଗରେ କଡ଼ା ଯାଂଚ ବ୍ୟବସ୍ଥା, ବ୍ୟବସ୍ଥା ଅନୁଯାୟୀ ସାମୁଦାୟିକ ସ୍ତରରେ ନିରୀକ୍ଷଣ ଏବଂ ରୋଗୀଙ୍କୁ ପୃଥକ ଭାବେ ରଖି ଚିକିତ୍ସା କରିବା ଲାଗି ଶଯ୍ୟା ଉପଲବ୍ଧ କରାଇବା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ଉଚିତ ସମୟରେ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ରାଜ୍ୟଗୁଡ଼ିକ ସହିତ ସମନ୍ୱୟର ଆବଶ୍ୟକତା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗୁରୁତ୍ୱାରୋପ କରିଥିଲେ ।

ନୀତି ଆୟୋଗ ସଦସ୍ୟ ଡ. ପଲ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତି କରିବାର କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଇରାନରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ଅନୁରୋଧ ପ୍ରସଙ୍ଗରେ ମଧ୍ୟ ଆଲୋକପାତ କରାଯାଇଥିଲା ।

ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗକୁ ପ୍ରଶଂସା କରିଥିଲେ । ପରିବର୍ତିତ ପରିସ୍ଥିତି ଅନୁଯାୟୀ ଭାରତ ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ଏବଂ ଏହି ରୋଗ ପାଇଁ ସତର୍କତା ସମ୍ପର୍କରେ ଜନସମୁଦାୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୋଭିଡ-୧୯ର ମୁକାବିଲା ପାଇଁ ସାରା ବିଶ୍ୱରେ ଏବଂ ବିଭିନ୍ନ ରାଷ୍ଟ୍ରରେ ଚାଲିଥିବା ଶ୍ରେଷ୍ଠ ପ୍ରଚଳନକୁ ଚିହ୍ନଟ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ ।

ସେ ଉଲ୍ଲେଖ କରିଥିଲେ ଯେ ବିଶେଷଜ୍ଞଙ୍କ ପରାମର୍ଶକୁ ଗ୍ରହଣ କରି ଲୋକମାନେ ଭିଡ଼ସ୍ଥାନରୁ ଦୂରରେ ରହିବା ଆବଶ୍ୟକ ତଥା କ’ଣ କରିବା ଉଚିତ ଏବଂ ଅନୁଚିତ ସେଥିପ୍ରତି ସଚେତନ ରହିବା ଆବଶ୍ୟକ । ରୋଗ ସଂକ୍ରମଣ କ୍ଷେତ୍ରରେ ପୃଥକୀକରଣ ସୁବିଧା ଚିହ୍ନଟ କରିବା ଏବଂ ଜଟିଳ ଚିକିତ୍ସା ସୁବିଧା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଇରାନରେ ଥିବା ଭାରତୀୟମାନଙ୍କୁ ପରୀକ୍ଷଣ କରାଯାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜନସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସଂକ୍ରାମକ ରୋଗ ମୁକାବିଲା ଲାଗି ଉନ୍ନତ ଓ ଯଥେଷ୍ଟ ଯୋଜନା ତଥା ସମୟୋପଯୋଗ ପଦକ୍ଷେପ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.