Latest Odisha News

BREAKING NEWS

ଜର୍ଜ ତିର୍କୀ ଓ ସୁଦର୍ଶନ ଦାସଙ୍କ କଂଗ୍ରେସରେ ଯୋଗଦାନ

ନୂଆଦିଲ୍ଲୀ: ଆଦିବାସୀ ନେତା ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏବଂ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏବଂ ଏହି ଆନ୍ଦୋଳନରେ ସାମିଲ ରହିଥିବା ୫ଜଣ ସଦସ୍ୟ କଂଗ୍ରେସରେ ଯୋଗଦାନ କରିଛନ୍ତି । ନୂଆଦିଲ୍ଲୀଠାରେ ଆଜି କଂଗ୍ରେସର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ କଂଗେସ ଦଳରେ ଯୋଗ ଦେଇଛନ୍ତି ।

ଛତିଶଗଡ଼ ସରକାରଙ୍କ ବିରୋଧରେ ମହାନଦୀ ଆନ୍ଦୋଳନକୁ ନେଇ ଶୀର୍ଷରେ ପହଞ୍ଚାଇ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମହାନଦୀ ବଞ୍ଚାଓ ଆନ୍ଦୋଳନର ମୁଖ୍ୟ ୫ଜଣ ସଦସ୍ୟଙ୍କ କଂଗ୍ରେସରେ ଯୋଗଦାନ କରିବା ନେଇ ସମସ୍ତଙ୍କୁ ଚକିତ କରିଛି । ଆଜି ନୂଆଦିଲ୍ଲୀଠାରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ସହିତ ମହାନଦୀ ଆନ୍ଦୋଳନରେ ସାମିଲ ରହିଥିବା ଆବାହକ ସୁଦର୍ଶନ ଦାସ, ମନୋଜ ଜେନା, ଲଳିତ ପଟ୍ଟନାୟକ, ନୀରଦ ଖୁଣ୍ଟିଆ ଏବଂ ବାସୁଦେବ ଭଟ୍ଟ ବିଧିମୁତାବକ କଂଗ୍ରେସରେ ଯୋଗଦାନ କରିଛନ୍ତି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ଜର୍ଜ ତିର୍କୀ ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇପାରନ୍ତି ।

ତୀର୍କୀ ୧୯୯୫ ଓ ୨୦୦୦ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୨ଥର ବୀରମିତ୍ରପୁର ବିଧାନସଭା ଆସନରେ ଲଢି ବିଜୟୀ ହୋଇଥିଲେ । ୨୦୦୦ ମସିହାରେ ସେ ବିଜେଡ଼ିରେ ଯୋଗଦାନ କଲେ । ୨୦୦୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ସ୍ୱାଧିନ ଭାବେ ବୀରମିତ୍ରପୁର ବିଧାନସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।

ସେ ୨୦୦୯ ଏବଂ ୨୦୧୪ ମସିହା ନିର୍ବାଚନରେ ବୀରମିତ୍ରପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ବୀଜୟୀ ହୋଇଛନ୍ତି । ପରେ ୨୦୧୭ରେ ସେ ପୁନର୍ବାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.