(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍’ର ଏହା ହେଉଛି ୮ମ କଡ଼ି ।)
ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।
ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।
ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।
ମୁଁ ପାଇଲଟ୍ ହେବି
ଆଇ.ଏସ.ସି ପାଠପଢା ସରିଥିଲା । ରେଭେନସା କଲେଜରେ ବିଏସସି ପାଠ ଆରମ୍ଭ ହୋଇ ସାରିଥାଏ । ହଠାତ୍ ଦିନେ ମାଆଙ୍କ ଆଗରେ ବିଜୁ ପ୍ରସ୍ତାବ ରଖିଲେ, “ମୁଁ ପାଇଲଟ୍ ହେବି ।” ସେଥିଲାଗି ଯେଉଁ ତାଲିମ୍ ଦିଆଯାଏ ମୁଁ ସେଇ ପାଠ ପଢିବି । ପାଇଲଟ୍ ଟ୍ରେନିଂ ସକାଶେ ଆଇଏସସି ଡିଗ୍ରୀ ଯଥେଷ୍ଟ ।
ମାଆ ଜାଣନ୍ତି ବିଜୁ ମନୁଆ । ବାପାଙ୍କ ଠାରୁ ଶିଖିଛି ସେ, “ଯେଉଁ କାମ କରିବାକୁ ଚାହିଁବ ସେ କଥାରେ ପଛାଇବ ନାହିଁ ମୋଟେ । ” ହେଲେ ପାଇଲଟ୍ ଟ୍ରେନିଂ ସହଜ କଥା ନୁହେଁ । ଓଡ଼ିଶାରେ ସେ କଥା ଶୁଣା ନାଇଁ କେଉଁଠି । ସାରା ଭାରତରେ ବି କାଁ ଭାଁ କେତେଜଣ ପାଇଲଟ୍ ହୋଇଛନ୍ତି ।
ବିଚିତ୍ର କଥା । ବଡ଼ ଭାଇ ଜର୍ଜ ପଚାରିଲେ, “କିରେ”! ପାଇଲଟ୍ ହେବା ବୁଦ୍ଧି କୋଉଠୁ ଆସିଲା?”
କିଏ ବା ମନେ ରଖିଛି, ବାଲିଯାତ୍ରା ପଡ଼ିଆରେ ବିଜୁ କ’ଣ ଶପଥ କରିଆସିଛନ୍ତି? “ବଡ଼ ହେଲେ ମୁଁ ଅଲ୍ବତ୍ ଉଡ଼ାଜାହାଜ ଉଡ଼େଇବି ।”
ଆଉ କେତେ ବଡ଼ ହେବେ ସେ? ଏଇ ତ ବେଳ! ଟ୍ରେନିଂ ନ ନେଲେ ଉଡ଼ାଜାହାଜ ଉଡ଼େଇବେ କେମିତି?
ଭାଇଙ୍କୁ କିନ୍ତୁ ଉତ୍ତର ଦେଇ ସେ କହିଥିଲେ, “ଇଂରେଜମାନେ ପ୍ରବଳ ପରାକ୍ରମୀ । ତାଙ୍କୁ ଉଚିତ ଶିକ୍ଷା ଦେବାପାଇଁ ହେଲେ ଆକାଶରୁ ହିଁ କିଛି କରିବାକୁ ପଡ଼ିବ ।”
ସାନ ଭାଇ ସିନା! ବେଳେବେଳେ ତା’କଥା ବୁଝିପାରନ୍ତିନି ଜର୍ଜ । “ଅଜବ୍ ପିଲା” କହି ନିରବ ରହନ୍ତି ସେ ।
ବାପାଙ୍କ ଆଗରେ କଥା ପଡ଼ିଲା । ସେ କହିଲେ, ଏଥିପାଇଁ ଇଂରେଜ ସରକାରଙ୍କ ସୁପାରିସ ଲୋଡ଼ା, ପୁଣି ପ୍ରଚୁର ଅର୍ଥ ଆବଶ୍ୟକ । କୋଉଠୁ ଆସିବ ଟଙ୍କା?
ଅବସର ପରେ ଘରଟିଏ ତିଆରି କରିଥାନ୍ତି ଲକ୍ଷ୍ମୀନାରାୟଣ । ସେଇବାଟେ ସବୁ ସଞ୍ଚୟ ସରିଯାଇଥାଏ । ନାଆଁ ଦେଇଥାନ୍ତି ‘ଆନନ୍ଦ ଭବନ’ । କଟକ, ତୁଳସୀପୁରରେ ଘର । ମାଆ କହିଲେ, ମୋର ଯାହା ଅଳଙ୍କାର ଅଛି ସେ ସବୁ ନେଇଯାଅ । ବିକିଦେଇ ବିଜୁ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କର । “ଆନନ୍ଦ ଭବନ” ବିକିଦେବା କଥା ମଧ୍ୟ ଉଠାଇଥିଲେ ଲକ୍ଷ୍ମୀନାରାୟଣ । ହେଲେ ଘର ବିକିଦେଇ ପିଲାମାନେ ରହିବେ କେଉଁଠି? କେଡ଼େ କଷ୍ଟରେ ଘରଟିଏ କରିଛନ୍ତି ।
ଘରେ ସମସ୍ତେ ଚିନ୍ତାରେ । ହେଲେ ବିଜୁଙ୍କର ପରୁଆ ନଥାଏ । ‘ମୁଁ ଯେମିତି ହେଲେ ପାଇଲଟ୍ ହେବି’ । ରୟାଲ୍ ଏୟାର୍ ଫୋର୍ସରେ ଯୋଗଦେଇଥିବା ବନ୍ଧୁ ଅମର ଦେଙ୍କ ଠାରୁ ସେ ସବୁକଥା ବୁଝିନେଇ ଥାଆନ୍ତି ଚିଠି ମାଧ୍ୟମରେ ।
ଦିନେ ଭଉଣୀ ବୁଢୀଦେଇ କହିଲେ, ବିଜୁ ! ବାପା ତୋ ପାଇଁ କେତେ ବ୍ୟସ୍ତ । ମାଆ ବି ଗହଣାସବୁ ବିକିବାକୁ ବସିଲାଣି । ତୁ ଏତେ ବେଧଡ଼କ କେମିତି? ତୋ’ର କ’ଣ ପାଇଲଟ୍ ନ ହେଲେ ଚଳନ୍ତାନି?
ବିଜୁଙ୍କର ତତ୍କ୍ଷଣାତ୍ ଉତ୍ତର । “ବାପା ମୋ କଥାରେ ମନ ପୂରାଇଛନ୍ତି ମାନେ ସେ କଥା ଯୋଗାଡ଼ ହୋଇସାରିଛି ବୋଲି ଜାଣ୍ । ମୁଁ ପାଇଲଟ୍ ହେବା ନିଶ୍ଚିତ ।”
ପିଲାଟି ଦିନୁ ବିଜୁ ସେମିତି । ଥରେ ନିଷ୍ପତ୍ତି ନେଲେ ଆଉ ପଛେଇବାର ସମ୍ଭାବନା ନାହିଁ । ଲକ୍ଷ୍ମ୍ୀନାରାୟଣ, କଟକ ଜିଲ୍ଲାପାଳଙ୍କ ପାଖକୁ ଯାଇ ଅନୁମତି ନେଇ ଆସିଲେ । ଜିଲ୍ଲାପାଳ ଖୁସୀ ହୋଇ କହିଥିଲେ – “ମାସକ ଭିତରେ ସବୁ ଟଙ୍କା ଯୋଗାଡ଼ କରିଦିଅନ୍ତୁ । ଶୁଣିଛି ଆପଣଙ୍କ ପୁଅ କୁହାଡ଼େ ଜଣେ ଭଲ ଖେଳାଳି !”
ଚିନ୍ତାରେ ଥାଆନ୍ତି ଲକ୍ଷ୍ମୀନାରାୟଣ । ଖୁବ୍ ଦୃଢମନା ସେ । ହେଲେ ବିଜୁ ଲାଗି ଟଙ୍କା ଯୋଗାଡ଼ ହରଡ଼ଘଣାରେ ପକାଉଥାଏ ତାଙ୍କୁ ।
ଏଇ ସମୟରେ ହଠାତ୍ ଦିନେ ଚିଠିଟିଏ ଆସି ପହଞ୍ଚିଲା । ଖୋଲୁ ଖୋଲୁ ସେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଚିଠି ଉପରେ ବସିଥିବା ମୋହର ଦେଖି । ଚିଠି ଆସିଥିଲା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଠାରୁ ।
ପାଟିକରି ଉଠିଥିଲେ ବିଜୁଙ୍କ ପିତା । “ହେଇ ଆସିଗଲା ବିଜୁ ପାଇଁ ଈଶ୍ୱରଙ୍କ ଆଜ୍ଞାପତ୍ର । ଏଥର ତାକୁ ଆଉ କେହି ପାଇଲଟ୍ ହେବାରୁ ବଞ୍ଚିତ କରିପାରିବେ ନାହିଁ । ସେ ହେବ ଆକାଶରେ ଉଡ଼ିପାରୁଥିବା ପ୍ରଥମ ଓଡ଼ିଆ ଯୁବକ ।”
ଲକ୍ଷ୍ମୀନାରାୟଣଙ୍କୁ ଏମିତି ଖୁସୀ ହେବା ଦେଖି କେହି ଦେଖି ନ ଥିଲେ କେବେ ! ସମସ୍ତେ ଧାଇଁ ଆସିଲେ ତାଙ୍କ ପାଖକୁ ।
ଆଶାଲତା ପଚାରିଲେ – କାହିଁକି ଏତେ ଖୁସୀ?
ଅଧିକ ପଢନ୍ତୁ – ଝଡ଼ର ଇଗଲ୍: ସାଇକେଲରେ ଦୂରଦିଗ୍ବଳୟ
ଚିଠିଟି ଦେଖାଇଦେଲେ ଲକ୍ଷ୍ମୀନାରାୟଣ । ପାରଳାଖେମୁଣ୍ଡିର ଦେୱାନ୍ ଭାବରେ ନିଯୁକ୍ତି ମିଳିଥିଲା ତାଙ୍କୁ । ମାସିକ ଦରମା ବାରଶହ ଟଙ୍କା ।
ଅଳ୍ପ ସମୟ ଭିତରେ ହିସାବ ପତ୍ର ଆରମ୍ଭ ହୋଇଗଲା । ଘର ଖର୍ଚ୍ଚ ମାସିକ ଦୁଇଶହ ଟଙ୍କା । ବିଜୁର ପାଇଲଟ୍ ଟ୍ରେନିଂ ବାବଦ ଖର୍ଚ୍ଚ ମାସକୁ ଏକହଜାର ଟଙ୍କା । ଆଉ ସବୁ ଅନ୍ୟାନ୍ୟ ପାଖାପାଖି ଦୁଇଶହ ଟଙ୍କା । ଘର ତିଆରି ବାବଦକୁ କିଛି ଦେଣା ମଧ୍ୟ ସାମିଲ୍ ଥିଲା ସେଥିରେ । ଘରକୁ ପେନ୍ସନ୍ ଆସୁଥିଲା ପ୍ରାୟ ଦୁଇଶହ ଟଙ୍କା । ସବୁ ମିଶାଇଲେ ମେଣ୍ଟିଯାଉଥିଲା ଖର୍ଚ୍ଚ । ତଥାପି ଲକ୍ଷ୍ମୀନାରାୟଣଙ୍କୁ ଭଞ୍ଜନଗର ଯାଇ ଗାଆଁର କିଛି ଜମି ଓ ଆଶାଲତାଙ୍କର କେତେକ ଗହଣା ବିକ୍ରି କରିବାକୁ ପଡ଼ିଥିଲା ପ୍ରାଥମିକ ଅର୍ଥ-ଜମା ପାଇଁ ।
ଆଶ୍ଚର୍ଯ୍ୟର କଥା ହେଲା, ବିଜୁଙ୍କର ପାଇଲଟ୍ ଟ୍ରେନିଂ ସମୟ ଥିଲା ତିନି ବର୍ଷ ବା ଛତିଶ ମାସ । ଲକ୍ଷ୍ମୀନାରାୟଣଙ୍କୁ ଯେଉଁ ଦେୱାନ୍ ପଦ ମିଳିଥିଲା, ତାହା ମଧ୍ୟ ଥିଲା ଛତିଶମାସ ପାଇଁ । ବିହ୍ୱଳିତ ହେଲାଭଳି କଥା । କାହାର ଦୃଢ ଇଚ୍ଛାଶକ୍ତି ଥିଲା ଏଭଳି ଏକ ସଂଯୋଗ ବା ଦୈବୀ-ଆଶୀର୍ବାଦ ପଛରେ । ପିତାଙ୍କର ନା ପୁତ୍ର ବିଜୁଙ୍କର !
ପାଇଲଟ୍ ଟ୍ରେନିଂ ସକାଶେ ବିଜୁ ପ୍ରଥମେ ଦିଲ୍ଲୀ ଗଲେ । ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବର ମୁଖ୍ୟ ପରାମର୍ଶଦାତାଙ୍କ ନିକଟକୁ ଚିଠି ଲେଖିଥିଲେ କଟକ ଜିଲ୍ଲାପାଳ । ଟ୍ରେନିଂର ଅବଧି ଭିତରେ ଥିଲା ଲଣ୍ଡନସ୍ଥିତ ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ଗୋଟିଏ ବର୍ଷର ଶିକ୍ଷାନବିଶ ତାଲିମ୍ । ତା’ପରେ ଭାରତ ଫେରିଆସି ଏରୋନେଟିକ୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ତାଲିମ୍ ନେଲେ ସେ ।
ଟ୍ରେନିଂ ଦେବା ଲୋକ ଓ ନେବା ଲୋକ ସମସ୍ତେ ଥିଲେ ଇଂରେଜ ।
ତାଲିମ୍ ଚାଲିଥାଏ । ବିମାନ ଚଳାଇବାରେ ବିଜୁଙ୍କର ଦକ୍ଷତା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ । କେହି କେହି ମଧ୍ୟ ଇର୍ଷାନ୍ୱିତ ହୋଇପଡୁଥାଆନ୍ତି । କିଛିଦିନ ପରେ ଗୋଟିଏ ଦୁର୍ଘଟଣା ଘଟିଥିଲା । ସେଥିରେ ଛୋଟ ଉଡ଼ାଜାହାଜଟି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା । ମାତ୍ର ଅକ୍ଷତ ଅବସ୍ଥାରେ ବାହାରି ଆସିଥିଲେ ବିଜୁ । ତାଙ୍କର ତାଲିମ୍ ବନ୍ଦ କରିଦେବାପାଇଁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା ।
ସଙ୍କଟ ଜନକ ପରିସ୍ଥିତି । ଏଣେ ବାପା ମାଆ ଆଶ୍ୱସ୍ତ ହୋଇଥିଲେ ଯେ ଯାହାହେଉ ବିଜୁର କିଛି ହୋଇନାହିଁ । ବିଜୁ କିନ୍ତୁ ଚିନ୍ତିତ ଥିଲେ ଭବିଷ୍ୟତକୁ ନେଇ ।
ଟ୍ରେନିଂ ପରିଚାଳନାରେ ଥିବା ମୁଖ୍ୟ ବୈମାନିକ ଏତିକିବେଳେ ବିଜୁଙ୍କୁ ଆଉଥରେ ସୁଯୋଗ ଦେବାପାଇଁ ନିଜଆଡୁ ସୁପାରିଶ କରି ପରିଚାଳନା କମିଟିକୁ ଅନୁରୋଧ କଲେ । ସେ ଲେଖିଥିଲେ – “ଏଠାର କୌଣସି ଇଂରେଜ ପାଇଲଟଙ୍କୁ ବିଜୁଙ୍କ ସହ ତୁଳନା କରାଯାଇ ପାରିବ ନାହିଁ । ତାଙ୍କୁ ବିଦା କରିଦେଲେ ଇଂରେଜ ସରକାରର ହିଁ କ୍ଷତି ହେବ ।” ତାଙ୍କ କଥା ରହିଥିଲା । ବିଜୁଙ୍କର ବିମାନଚାଳନା ତାଲିମ୍ ସରିଥିଲା ଠିକ୍ ସମୟରେ ।
୧୯୩୬ ମସିହା ଶେଷ ଆଡ଼କୁ ଇଣ୍ଡିଆନ୍ ନ୍ୟାସନାଲ୍ ଏୟାର୍ୱେଜ୍ରେ ଜଣେ ପାଇଲଟ୍ ଭାବରେ ଯୋଗ ଦେଇଥିଲେ ସେ । ପାଇଲଟ୍ ହେବାର ସ୍ୱପ୍ନ ଫଳବତୀ ହୋଇଥିଲା ତାଙ୍କର । ବୟସ ସେତେବେଳକୁ ମାତ୍ର କୋଡ଼ିଏ ବର୍ଷ କେତେ ମାସ ।
(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.